ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ଶାହା-ନଡ୍ଡା-ରାହୁଲ

ଭୁବନେଶ୍ୱର,୧୪।୫: ଓଡ଼ିଶା ଆସୁଛନ୍ତି କେନ୍ଦ୍ରର ହେଭିଓ୍ବେଟ ନେତା। କରିବେ ମାରାଥନ ପ୍ରଚାର ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଓଡ଼ିଶା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର ପାଇଁ ବୁଧବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଭାଜପା ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓଡ଼ିଶା ଆସିବେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଶାହା ଆସନ୍ତାକାଲି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଆସିକା ସଂସଦୀୟ କ୍ଷେତ୍ରର ସୋର ଯିବେ । ସେଠାରେ ଭାଜପାର ନିର୍ବାଚନୀ ସଭା ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବେ । ଏହାପରେ ସେ ସଂଧ୍ୟା ୫ଟାରେ କଟକଠାରେ ଏକ ବିଶାଳ ରୋଡ ଶୋ’ରେ ସାମିଲ ହେବେ । ଦଳର ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାୟକମାନଙ୍କୁ ସାଙ୍ଗରେ ଧରି ଏହି ରୋଡ ଶୋ’ କରିବେ । ଏହାପରେ ଭୁବନେଶ୍ୱର ବାଟ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳୀୟ କର୍ମଶାଳାରେ ଯୋଗ ଦେବେ । ଭୁବନେଶ୍ୱରରେ ରାତିଯାପନ କରି ୧୬ତାରିଖ ସକାଳେ ବରଗଡ଼ ଜିଲାର ପଦ୍ମପୁର ଓ ସୁନ୍ଦରଗଡ଼ ଦଳର ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚି ସିଧାସଳଖ ବଲାଙ୍ଗୀର ଯିବେ । ସେଠାରେ ନିର୍ବାଚନୀ ସଭା ଓ ବାଇକ ରାଲିରେ ସାମିଲ ହୋଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ରାହୁଲ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି ।

Share