Categories: ଜାତୀୟ

ମିଛ କହୁଥିବା ଶାହା କ୍ଷମା ମାଗନ୍ତୁ

କୋହିମା, ୧୧।୧୨: ନାଗାଲାଣ୍ଡର ମୋନ୍‌ ଜିଲାରେ ସେନା ଗୁଳିରେ ୧୪ ଜଣଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଶନିବାର ଏକ ବିଶାଳ ରାଲି କରାଯାଇଛି। ଗୁଳିକାଣ୍ଡ ସମ୍ପର୍କରେ ପାର୍ଲାମେଣ୍ଟରେ ଭୁଲ୍‌ ତଥ୍ୟ ଦେଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏଥିପାଇଁ କ୍ଷମା ମାଗିବାକୁ ସେମାନେ ଦାବି କରିଛନ୍ତି।

ବିକ୍ଷୋଭକାରୀମାନେ ଶାହାଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ମିଛ ବିବୃତିକୁ ପୋଡ଼ିଥିଲେ। ନାଗାଲାଣ୍ଡରେ ଲାଗୁ ହୋଇଥିବା ସ୍ବତନ୍ତ୍ର ବଳ ଆଇନ (ଏଫ୍‌ଏସ୍‌ପିଏ)କୁ ବିକ୍ଷୋଭକାରୀମାନେ ବିରୋଧ କରିଥିଲେ। କୋନ୍ୟକ ୟୁନିୟନର ଡାକରାରେ ଏହି ବିକ୍ଷୋଭ କରାଯାଇଥିଲା। ଆମେ ସହାନୁଭୂତି ନୁହଁ ନ୍ୟାୟ ଚାହୁଁ। ସତ୍ୟକୁ ଲୁଚାଯିବା ଦୁର୍ଭାଗ୍ୟଜନକ। ପାର୍ଲାମେଣ୍ଟରେ ଅମିତ୍‌ ଶାହାଙ୍କ ବିବୃତି ବିଶ୍ୱକୁ ଭୁଲ୍‌ ତଥ୍ୟ ଦେଇଛି। ତେଣୁ ସେ ତୁରନ୍ତ ଉକ୍ତ ବିବୃତି ପ୍ରତ୍ୟାହାର କରିନେବା ସହ କ୍ଷମା ମାଗନ୍ତୁ ବୋଲି ୟୁନିୟନର ଉପାଧ୍ୟକ୍ଷ ହୋନାଙ୍ଗ କୋନ୍ୟକ ଦାବି କରିଥିଲେ। ଉକ୍ତ ସମ୍ପ୍ରଦାୟର ୧୪ ଜଣଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

Share