Categories: ଜାତୀୟ

ଅମରନାଥ ଯାତ୍ରୀଙ୍କୁ ମିଳିବ ଆରଆଇଏଫ୍‌ଡି କାର୍ଡ

ନୂଆଦିଲ୍ଲୀ,୧୭।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ ଅମରନାଥ ଯାତ୍ରାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଶାହା। ଏହି ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୋଇନ୍ଦା ତଥା ସୁରକ୍ଷା ମୁଖ୍ୟଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅମରନାଥ ଯାତ୍ରା ପାଇଁ ଆବଶ୍ୟକ ହେଉଥିବା ସମସ୍ତ କେନ୍ଦ୍ରୀୟ ସାମରିକ ବଳକୁ ଯାତ୍ରା ସମୟରେ ନିୟୋଜିତ କରାଯାଉ। ଏଥିସହ ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉ, ଯେପରି ସେମାନଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡେ। ତେବେ ପ୍ରଥମ ଥର ପ୍ରତ୍ୟେକ ଅମରନାଥ ଯାତ୍ରୀଙ୍କୁ ଆରଆଇଏଫ୍‌ଡି କାର୍ଡ ଦିଆଯିବ ଏବଂ ୫ଲକ୍ଷ ଟଙ୍କାର ବୀମା କରାଯିବ ବୋଲି ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ କହିଛନ୍ତି। ଏହି କାର୍ଡର ସାହାଯ୍ୟରେ ଯାତ୍ରୀଙ୍କ ଗାଡି କିମ୍ବା ଯାତ୍ରୀ କେଉଁଠାରେ ଅଛନ୍ତି ସେ ସମ୍ବନ୍ଧରେ ସୂଚନା ମିଳିପାରିବ। ଯାତ୍ରା ପାଇଁ ଯାତ୍ରା ମାର୍ଗରେ ଟେଣ୍ଟ ସିଟି, ୱାଇଫାଇ ହଟସ୍ପଟ ଏବଂ ଉପଯୁକ୍ତ ଆଲୋକ ବ୍ୟବସ୍ଥା କରାଯିବ। ଏଥିସହ ବାବା ବାରଫାନୀଙ୍କ ଅନ୍‌ଲାଇନ ଲାଇଭ ଦର୍ଶନ, ପବିତ୍ର ଅମରନାଥ ଗୁମ୍ଫାରେ ସକାଳ ଏବଂ ସନ୍ଧ୍ୟାରେ ଆରତୀର ସିଧା ପ୍ରସାରଣ ଏବଂ ବେସ୍‌ କ୍ୟାମ୍ପରେ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯିବ। ଏତଦ୍‌ବ୍ୟତୀତ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖିବାକୁ ଅମିତ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ, ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅମରନାଥ ଯାତ୍ରାର ସୁରକ୍ଷା ତଥା ତୀର୍ଥଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ବୈଠକ କରିଥିଲେ।

 

Share