Categories: ଜାତୀୟ

ନିର୍ବାଚନ ପୂର୍ବରୁ ମିଶନ ତାମିଲନାଡୁରେ ଶାହା: ବିମାନବନ୍ଦରରୁ ହୋଟେଲ ଯାଏଁ ଚାଲି ଚାଲି ଗଲେ

ଚେନ୍ନାଇ,୨୨।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଚାଣକ୍ୟଙ୍କ ମିଶନ ତାମିଲନାଡୁ। ଜନତାଙ୍କ ମନ ମୋହିବା ପାଇଁ ଚେନ୍ନାଇ ରାସ୍ତାରେ ଚାଲିଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଯାହା ଆଗାମୀ ଦିନରେ ଭାଜପାର ଆକ୍ରଣାତ୍ମକ ରାଜନୀତିର ସଙ୍କେତ ଦେଇଛି। ସୂଚନାଯୋଗ୍ୟ, ୨୦୨୧ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ଦକ୍ଷିଣ ବିଜୟ ପାଇଁ ରଣନୀତି ଉପରେ କାମ କରିବା ଆରମ୍ଭ କରିଦେଇଛି। ବର୍ତ୍ତମାନ ତାମିଲନାଡୁରେ ଭାଜପାର ଭୋଟ ବ୍ୟାଙ୍କ ନାଁ ସହିତ ସମାନ। କିନ୍ତୁ ଭାଜପାର ଚାଣକ୍ୟ ଅମିତ ଶାହାଙ୍କ ନେତୃତ୍ୱରେ ଚଳିତ ଥର ଏହାର ଚିତ୍ର ବଦଳାଇବାକୁ ଉଦ୍ୟମ କରାଯାଉଛି।

ଆଗାମୀ ନିର୍ବାଚନ ପାଇଁ ଭାଜପା ଶାସକ ଦଳ ଏଆଇଏଡିଏମ୍‌କେ ସହ ମେଣ୍ଟ କରିଥିବା ଜଣାପଡ଼ିଛି। ତେଣୁ ଏବେ ଭାଜପା ତାମିଲନାଡୁରେ ଲୋକଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ ଚଳାଇଛି। ଶନିବାର ଚେନ୍ନାଇରେ ବିମାନମନ୍ଦରରେ ଶାହା ପହଞ୍ଚିବା ପରେ ତାଙ୍କୁ ଭାଜପା କର୍ମକର୍ତ୍ତା ସ୍ବାଗତ ଜଣାଇଥିଲେ। ରାସ୍ତାରେ କର୍ମକର୍ତ୍ତାଙ୍କ ଖୁସି ଓ ଉତ୍ସାହିତ ଦେଖି ତାଙ୍କୁ ସମ୍ମାନ ଜଣାଇବା ସହ ଶାହା କାର୍‌ରୁ ବାହାରି ହୋଟେଲ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ଶାହାଙ୍କ ଏଭଳି କାର୍ଯ୍ୟ ଦ୍ୱାରା ଏବେ ରାଜନୈତିକ ଉଷ୍ମତା ଦେଖାଦେଇଛି।

Share