Categories: ଜାତୀୟ

ଭାଜପାର ଘୋଷଣା ପତ୍ରରେ ରହିଛି ଏହି ସବୁ ପ୍ରତିଶ୍ରୁତି

କୋଲକାତା,୨୧।୩: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣାପତ୍ରକୁ ଉନ୍ମୋଚନ କରିଛନ୍ତି। ଭାଜପା ଘୋଷଣାପତ୍ରକୁ ‘ସଂକଳ୍ପ ପତ୍ର’ ବୋଲି ନାମକରଣ କରିଛି। ଘୋଷଣା ପତ୍ରର ମୂଳ ଉଦ୍ଦେଶ୍ୟ ସୋନାର ବଙ୍ଗଳା ର୍ନିମାଣ କରିବା। ମହିଳାଙ୍କ ସୁରକ୍ଷା, ଭିତ୍ତିଭୂମିର ବିକାଶ, ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଏବଂ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଉପରେ ପ୍ରତିଶ୍ରୁତି ଦିଆଯାଇଛି। ଏହି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି, ପଞ୍ଚିମବଙ୍ଗରେ ଭାଜପା ସରକାର ଗଠନ କରିବା ପରେ ରାଜ୍ୟ ସରକାରଙ୍କ ସମସ୍ତ ଚାକିରିରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦିଆଯିବ। ପଶ୍ଚିମବଙ୍ଗବାସୀ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବେ। ୭୫,୦୦୦ କୃଷକଙ୍କୁ ୩ ବର୍ଷ ଧରି ମମତା ଦିଦି ୧୮ହଜାର ଟଙ୍କା ବିତରଣ କରିବାକୁ କହି ବିତରଣ କରି ନ ଥିବା ଟଙ୍କାକୁ ଭାଜପା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବ। ପ୍ରତିବର୍ଷ ମତ୍ସ୍ୟଜୀବୀଙ୍କୁ ୬ହଜାର ଟଙ୍କା ଦିଆଯିବ। ଏପରିକି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ପ୍ରଥମ କ୍ୟାବିନେଟରେ କାର୍ଯ୍ୟକାରୀ କରିବାକୁ ଭାଜପା ସଂକଳ୍ପ ପତ୍ରରେ ଉଲ୍ଳେଖ କରିଛି। ମୁଖ୍ୟମନ୍ତ୍ରୀଙ୍କ ଶରଣାର୍ଥୀ ଯୋଜନା ଅନୁଯାୟୀ ପ୍ରତ୍ୟେକ ଶରଣାର୍ଥୀ ପରିବାରକୁ ୫ ବର୍ଷ ପାଇଁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯିବ।

Share