Categories: ଜାତୀୟ

ଅମିତ ଶାହାଙ୍କ ବଡ଼ ଘୋଷଣା: ଲୋକ ସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ CAA

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର CAAକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ(CAA) ଲାଗୁ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସେ କଂଗ୍ରେସ ଉପରେ ସିଏଏ ଲାଗୁ କରିବାକୁ ନେଇ ପ୍ରତିଶ୍ରୁତିରୁ ପଛକୁ ହଟିଥିବା ସେ ଅଭିଯୋଗ କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ଗ୍ଲୋବାଲ୍‌ ସବ୍‌ମିଟ୍‌ ୨୦୨୪ରେ ଭାଗ ନେଇ ଶାହା କହିଛନ୍ତି, ସିଏଏ କଂଗ୍ରେସ ସରକାରଙ୍କ ପ୍ରତିଶ୍ରୁତି ଥିଲା। ଯେତେବେଳେ ଦେଶ ବିଭାଜନ ହୋଇଥିଲା ଏବଂ ସେହି ଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର ହେଉଥିଲା ସେତେବେଳେ କଂଗ୍ରେସ ଶରଣାର୍ଥୀଙ୍କୁ ଆଶ୍ୱାସନା ଦେଇଥିଲା ଯେ ଭାରତରେ ତାଙ୍କୁ ସ୍ବାଗତ ଏବଂ ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏବେ ସିଏଏ ନାଗରିକତା ଦେବାକୁ ଅଣାଯିବ, ନାଗରିକତା ଛଡ଼ାଇ ନେବା ଲାଗି ନୁହେଁ। ଆମ ଦେଶରେ ଅଳ୍ପସଂଖ୍ୟକଙ୍କୁ ଏବଂ ବିଶେଷଭାବେ ଆମର ମୁସଲମାନ ସମୁଦାୟକୁ ଉତ୍ତେଜିତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇବ ନାହିଁ କାରଣ ଆଇନ୍‌ରେ ସେଭଳି ବ୍ୟବସ୍ଥା ନାହିଁ। ସିଏଏ ବାଲାଂଦେଶ ଏବଂ ପାକିସ୍ତାନରୁ ପ୍ରତାଡ଼ିତ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରୁଥିବା ଏକ ଅଧିନିୟମ ବୋଲି ଶାହା କହିଛନ୍ତି।

୨୦୧୯ରେ ମୋଦି ସରକାରଙ୍କ ଦ୍ୱାରା ଅଣାଯାଇଥିବା ସିଏଏର ଉଦ୍ଦେଶ୍ୟ ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍‌ସୀ ଏବଂ ଖ୍ରୀଷ୍ଟିଆନ୍‌ ସମେତ ଅଣମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁମାନେ ବାଲାଂଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବେ ସେମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ଶାହା କହିବା ସହ ଆଗାମୀ ଲୋକ ସଭା ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିବ ବୋଲି ବିଶ୍ୱାସ ଥିବା କହିଛନ୍ତି। ଏପରିକି ଭାଜପା ୩୭୦ ଏବଂ ଏନ୍‌ଡିଏକୁ ୪୦୦ରୁ ଅଧିକ ଆସନ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Share