Categories: ଜାତୀୟ

ଶାହା କହିଲେ ଆମେ ମଣିପୁର ଘଟଣାକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ, ହେଲେ ଜଣାପଡୁନି ବିରୋଧୀ କାହିଁକି ଏହା ଚାହୁଁନାହାନ୍ତି

ନୂଆଦିଲ୍ଲୀ,୨୪।୭: ମଣିପୁର ପ୍ରସଙ୍ଗକୁ ନେଇ ସୋମବାର ବି ପାର୍ଲାମେଣ୍ଟରେ ଖୁବଜୋରରେ ହଙ୍ଗାମା ହୋଇଛି। ଏହି ଘଟଣାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୟାନ ଦେଇଛନ୍ତି। ଲୋକ ସଭାରେ ସେ କହିଛନ୍ତି ଆମେ ଏହାକୁ ନେଇ ଗୃହରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛୁ, ହେଲେ ଜଣାପଡୁନାହିଁ ବିରୋଧୀ ଏହା ଉପରେ କାହିଁକି ଚର୍ଚ୍ଚା କରିବାକୁ ଚାହୁଁନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧୀଙ୍କୁ ଅନୁରୋଧ କରୁଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶ ସତ୍ୟ ଜାଣିବା ଜରୁରୀ। ଏହି ଉତ୍ତେଜନା ମଧ୍ୟରେ ଲୋକ ସଭାର ପ୍ରକ୍ରିୟା ମଙ୍ଗଳବାର ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।
ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ସୋମବାର ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ବିରୋଧୀ ଏମପିମାନେ ମଣିପୁର ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ଦାବି କରି ସ୍ଲୋଗାନ ଦେଇଥିଲେ। ବିରୋଧୀଙ୍କ ବିରୋଧ ସମୟରେ ରାଜ୍ୟ ସଭା ଅଧ୍ୟକ୍ଷ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଏଏପି ଏମପି ସଞ୍ଜୟ ସିଂଙ୍କୁ ନିଲମ୍ବିତ କରିଥିଲେ। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ କହିଥିଲେ ଯେ ଆମେ ଗୃହରେ ଆଲୋଚନା ପାଇଁ ପ୍ରସ୍ତୁତ।

Share