Categories: ଜାତୀୟ

‘ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ର ଆବଶ୍ୟକତା ପଡ଼ିବ ନାହିଁ’

ଶ୍ରୀନଗର,୨୦।୩: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର କାର୍ଯ୍ୟର ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଫୋର୍ସ ଯୋଗୁ ଜମ୍ମୁକଶ୍ମୀରରେ ଆତଙ୍କବାଦକୁ ନିୟନ୍ତ୍ରଣ କରାଯାଇପାରିଛି। ଏପରିକି ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଏବଂ ଉତ୍ତରପୂର୍ବ ଅଞ୍ଚଳରେ ସିଆର୍‌ପିଏଫ୍‌ ଯବାନଙ୍କ ଆବଶ୍ୟକ ପଡ଼ିବ ନାହିଁ ବୋଲି ଶାହା ବଡ଼ ବୟାନ ଦେଇଛନ୍ତି।

ଶନିବାର ସିଆର୍‌ପିଏଫ୍‌ର ୮୩ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ବୋଧିତ କରି ଶାହା କହିଛନ୍ତି, କଶ୍ମୀର, ନକ୍ସଲ ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆର୍‌ପିଏଫ୍‌ ଯେଉଁଭଳି କାମ କରୁଛି, ତା’କୁ ଦେଖି ଏହା ନିଶ୍ଚିତ ଯେ ଆଉ କିଛି ବର୍ଷ ପରେ ଏହି ୩ ରିଜନରେ ଆମକୁ ଆଉ ସିଆରପିଏଫ୍‌ର ଆବଶ୍ୟକ ପଡ଼ିବ ନାହିଁ। ଏହି ୩ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇ ସାରିଥିବ। ଯଦି ଏମିତି ହୁଏ, ତା’ହେଲେ ଏସବୁର ଶ୍ରେୟ ସିଆରପିଏଫ୍‌କୁ ଯିବ। ବର୍ତ୍ତମାନ କଶ୍ମୀରରରେ ବିପୁଳ ସଂଖ୍ୟାରେ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ମୋଟ କ୍ଷମତାର ଏକ ଚତୁର୍ଥାଂଶ ଯବାନ କଶ୍ମୀର ଦାୟିତ୍ୱରେ ରହିଛନ୍ତି। ସିଆରପିଏଫ୍‌ ବ୍ୟତୀତ ଜମ୍ମୁ-କଶ୍ମୀର ପୁଲିସ, ଆର୍ମି, ବିଏସ୍‌ଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବି ଯବାନମାନେ ମଧ୍ୟ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ସୁରକ୍ଷାକର୍ମୀମାନେ ପାକ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି। ସେମାନେ ଆତଙ୍କବାଦ ବିରୋଧରେ ଲଢ଼େଇ କରି ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା କରିପାରିଛନ୍ତି ବୋଲି ସେ କହିଛନ୍ତି।

Share