Categories: ଜାତୀୟ

‘ଓୱାଇସି ସୁରକ୍ଷା ନିଅନ୍ତୁ, ଆମ ଚିନ୍ତା ଦୂର କରନ୍ତୁ’

ନୂଆଦିଲ୍ଲୀ,୭।୨: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ସଂସଦରେ ପ୍ରତିକ୍ରିୟା ଦେଇଛନ୍ତି। ଅମିତ ଶାହା କହିଛନ୍ତି, ଦୟାକରି ଅସଦୁଦ୍ଦିନ ଓୱାଇସି ଜେଡ୍‌ ବର୍ଗର ସୁରକ୍ଷା ନିଅନ୍ତୁ, ଆମ ଚିନ୍ତା ଦୂର କରନ୍ତୁ।
ଓଓ୍ବାଇସିଙ୍କୁ ଆକ୍ରମଣ ବିଷୟରେ ଗୃହରେ ସୂଚନା ଦେଇ ଅମିତ ଶାହା କହିଛନ୍ତି, ଓୱାଇସିଙ୍କ ହାପୁରରେ କୌଣସି କାର୍ଯ୍ୟକ୍ରମ ଥିଲା କି ନାହିଁ ତାହା ଜିଲା ନିୟନ୍ତ୍ରଣ କକ୍ଷକୁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିଲା। ଘଟଣା ପରେ ଓୱାଇସି ନିରାପଦରେ ଦିଲ୍ଲୀରେ ପହଞ୍ଚିଥିଲେ। ଏହି ସ୍ଥାନକୁ ଜିଲାର ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିଥିଲେ। ଅନୁସନ୍ଧାନ ବେଳେ ସ୍ଥାନୀୟ ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ଦୁଇଟି ପିସ୍ତଲ ଉଦ୍ଧାର କରିଥିଲା।
ଓୱାଇସିଙ୍କ ସୁରକ୍ଷାକୁ ପୁନଃ ମୂଲ୍ୟାଙ୍କନ ପରେ ତାଙ୍କୁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସରଜେଡ୍‌ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି। କିନ୍ତୁ ସେ ସରକ୍ଷା ନେବାକୁ ମନା କରି ଦେଇଛନ୍ତି। ମୁଁ ତାଙ୍କୁ ଅନୁରୋଧ କରୁଛି, ଦୟାକରି ତାଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ନିଅନ୍ତୁ, ଆମ ଚିନ୍ତା ଦୂର କରନ୍ତୁ।
ସୂଚନାଯୋଗ୍ୟ,ଗତ ଫେବୃୟାରୀ ୩ରେ ଉତ୍ତର ପ୍ରଦେଶରୁ ନିର୍ବାଚନ ରାଲି ସାରି ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ମାଡ ହୋଇଥିଲା। ଗୁଳି ମାଡରେ ତାଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ କିନ୍ତୁ ସୁରକ୍ଷିତ ଦିଲ୍ଲୀ ଫେରି ପାରିଛନ୍ତି। ଏହି ଘଟଣାରେ ପୋଲିସ ୨ ଜଣଙ୍କ ଗିରଫ କରିଛି। ଗୁଳିମାଡରେ ଓଓ୍ବାଇସିଙ୍କ ଗାଡି ଚକା ଫାଟି ଯାଇଥିବା ବେଳେ ଗାଡିରେ ମଧ୍ୟ ଦୁଇଟି ଗୁଳିର ଦାଗ ଥିବା ଭଳି ଫଟୋ ସାମ୍ନାକୁ ଆସିଥିଲା। ଦିଲ୍ଲୀ-ମୀରଟ ହାଇୱେରେ ଏପରି ଘଟିଥିଲା।

Share