Categories: ଜାତୀୟ

ତେଲଙ୍ଗାନା ମୁକ୍ତି ଦିବସରେ ସାମିଲ ହେବା ପାଇଁ ହାଇଦ୍ରାବାଦ ଯିବେ ଶାହା

ନୂଆଦିଲ୍ଲୀ,୧୩।୯: ସେପ୍ଟେମ୍ବର ୧୭ରେ ହାଇଦ୍ରାବାଦରେ ଆୟୋଜିତ ତେଲଙ୍ଗାନା ମୁକ୍ତି ଦିବସ ଉତ୍ସବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାମିଲ ହେବେ। କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପରେଡ ଗ୍ରାଉଣ୍ଡରେ କେନ୍ଦ୍ର ଏହି କାର୍ଯ୍ୟକ୍ରମ ଆୟୋଜନ କରିବ। ତତ୍କାଳୀନ ରାଜଧାନୀ ହାଇଦ୍ରାବାଦକୁ ୧୭ ସେପ୍ଟେମ୍ବର ୧୯୪୮ରେ ୟୁନିଅନ ଅଫ ଇଣ୍ଡିଆରେ ମିଶ୍ରିତ କରାଯାଇଥିଲା ଏବଂ କେନ୍ଦ୍ର ଗତ ବର୍ଷ ମୁକ୍ତି ଦିବସ ପାଳନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ଶାହା ସାମିଲ ହୋଇଥିଲେ।

ଭାଜପାର ତେଲଙ୍ଗାନା ୟୁନିଟ୍‌ ମୁଖ୍ୟ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ବର୍ଷର ବୈଠକର ପ୍ରତିଶ୍ରୁତି ଅନୁଯାୟୀ ଅମିତ ଶାହା ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦ ଆସୁଛନ୍ତି। ଏହି ଗ୍ରାଉଣ୍ଡରେ ଆମେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛୁ। ସେ କହିଛନ୍ତି ଯେ, ଏଠାରେ ରାଷ୍ଟ୍ରପତି ନୀଲାୟମରେ ଆଉ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Share