Categories: ଜାତୀୟ

ପଶ୍ଚିମବଙ୍ଗ ପହଞ୍ଚିଲେ ଶାହା: ଟିଏମ୍‌ସିକୁ ଲାଗିପାରେ ଶକ୍ତ ଧକ୍କା

କୋଲକାତା,୧୯ ।୧୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ । ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସତିକି ସରଗରମ ହେବାରେ ଲାଗିଛି । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାଣପଣେ ଉଦ୍ୟମ ଜାରି ରଖିଛି । କିଛିଦିନ ପୂର୍ବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରିଥିବା ବେଳେ ଏବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କୋଲକାତାରେ ପହଞ୍ଚି ଯାଇଥିବା ସୂଚନା ଦେଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ସେ କୋଲକାତା ପହଞ୍ଚିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି । ସେଠାରେ ପହଞ୍ଚିବା କ୍ଷଣି ସେ କହିଛନ୍ତି ଗୁରୁଦେବ ଟାଗୋର, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଓ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଏହି ଶ୍ରଦ୍ଧେୟ ଧରିତ୍ରୀକୁ ମୁଁ ପ୍ରଣାମ କରୁଛି । ତେବେ ଶାହାଙ୍କ ଏହି ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଶାସକ ତ୍ରୁଣମୂଳ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ କେତେଜଣ ନେତା ଦଳ ଛାଡିଥିବା ବେଳେ ଏହି ପ୍ରକ୍ରିୟା ଏକ ପ୍ରକାର ଜାରି ରହିଛି କହିଲେ ଚଳେ । ତେଣୁ ଏସବୁ ନେତା ଶାହାଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Share