Categories: ଜାତୀୟ

ପୋଷ୍ଟର ବିବାଦ: ଅମିତ ଶାହାଙ୍କ ଫଟୋ ଉପରେ, ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋ ତଳେ

କୋଲକତା,୨୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହାଙ୍କ ଶାନ୍ତି ନିକେତନ ଗସ୍ତ ମଧ୍ୟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ପରିସରରେ ପୋଷ୍ଟର ପ୍ରସଙ୍ଗ ଉଠାଇଛି। ଟିଏମସି କହିଛି ଯେ, ବିଶ୍ୱବିଦ୍ୟାଳୟ ପରିସରରେ ଭାଜପା ଲଗାଇଥିବା ପୋଷ୍ଟର ମଧ୍ୟରେ ଅମିତ ଶାହାଙ୍କ ଫଟୋ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋ ଉପରେ ରହିଛି। ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ତଥା ଟିଏମସି ନେତା ସୁବ୍ରତ ମୁଖାର୍ଜୀ କହିଛନ୍ତି ଯେ, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କୁ ଭାଜପା ଏବଂ ଅମିତ ଶାହା ଅପମାନ କରିଛନ୍ତି। ସୂଚନାଯୋଗ୍ୟ, ରବିବାର ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ। ଅମିତ ଶାହା ରବିବାର ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମସ୍ଥାନ ବୀରଭୂମରେ ଅଛନ୍ତି। ବୀରଭୂମରେ ଅମିତ ଶାହା ଶାନ୍ତି ନିକେତନର ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶାହାଙ୍କୁ ସ୍ବାଗତ କରିବା ପାଇଁ ଭାଜପାକର୍ମୀମାନେ ଅମିତ ଶାହାଙ୍କ ପୋଷ୍ଟର ବିଶ୍ୱବିଦ୍ୟାଳୟ ପରିସରରେ ରଖିଥିଲେ। ଏହି ପୋଷ୍ଟର ଗୁଡ଼ିକରେ ଅମିତ ଶାହା ଶୀର୍ଷରେ ନଜର ଆସିଥିଲେ। ତାଙ୍କ ତଳେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କର ଏକ ସ୍କେଚ ଥିଲା। ସୁବ୍ରତ ମୁଖାର୍ଜୀ କହିଛନ୍ତି ଯେ, ଭାଜପା ପଶ୍ଚିମବଙ୍ଗ ସଂସ୍କୃତି ଜାଣି ନାହିଁ। ଗୁରୁଦେବଙ୍କ ଛବି ତଳେ ରଖି ଭାଜପା ଏବଂ ଅମିତ ଶାହା ଗୁରୁଦେବ ଟାଗୋରଙ୍କୁ ଅପମାନିତ କରିଛନ୍ତି।

Share