Categories: ଜାତୀୟ

ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବଢୁଛି ରାଜନୀତି: ପଶ୍ଚିମବଙ୍ଗ ଯିବେ ଶାହା

କୋଲକାତା, ୧୧ ।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ପଶ୍ଚିମବଙ୍ଗରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଏବେ ପୁଣିଥରେ ରାଜନୀତି ହେଲାଣି ସରଗରମ । ଶୁକ୍ରବାର ଏନେଇ ରାଜ୍ୟପାଳ ଜନଦୀପ ଧନଖଡ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି । ଅନ୍ୟପଟେ ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣିଥରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡିଛି । ସେ ୧୯ ଓ ୨୦ ଡିସେମ୍ବରରେ ପଶ୍ଚିମବଙ୍ଗରେ ରହିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୦୨୧ରେ ବିଧାନସଭା ନିର୍ବାଚନ ହେବ । ଏହାକୁ ନେଇ ଶାସକ ତ୍ରୁଣମୂଳ କଂଗ୍ରେସ ଓ ଭାଜପା ଏବେଠାରୁ ଅଣ୍ଟା ଭିଡିଲେଣି । ଦୁଇ ଦଳ ମଧ୍ୟରେ ରାଜ୍ୟରେ ଅଧିକାଂଶ ସମୟରେ ତୁତୁମେମେ ଦେଖାଦେଇଛି । ନିକଟରେ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ ବି ନଡ୍ଡାଙ୍କ ଉପରେ ଆକ୍ରମଣ ପରେ ସେ ପୁଣିଥରେ ପଶ୍ଚିମବଙ୍ଗ ଯାତ୍ରା କାର୍ଯ୍ୟକ୍ରମ ରଖିଲେଣି । ସୂଚନାଯୋଗ୍ୟ, ଗୁରୁବାର ଜେପି ନଡ୍ଡା ଏକ ରାଲିରେ ଯାଉଥିବା ବେଳେ ତାଙ୍କ ଉପରକୁ ପଥରମାଡ ହୋଇଥିଲା । ଭାଜପା ଏହାକୁ ତ୍ରୁଣମୂଳର କାର୍ଯ୍ୟ ବୋଲି କହିଛି ।

Share