Categories: ଜାତୀୟ

ମମତାଙ୍କ ଉପରେ ବର୍ଷିଲେ ଶାହା

କୋଲକାତା,୬।୧୧: ଖୁବ୍‌ଶୀଘ୍ର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ କରାଯିବ। ପଶ୍ଚିମବଙ୍ଗର ବିକାଶ ଲାଗି ଭାଜପା ବଦ୍ଧ ପରିକର ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କହିଛନ୍ତି। କେନ୍ଦ୍ର ସରକାର ଆଣିଥିବା ଆଇନ ତା ବାଟରେ ଯିବ, ଏହାକୁ କେହି ଅଟକାଇ ପାରିବେ ନାହିଁ ବୋଲି ଶାହା ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟା କରାଯାଉଛି, ହେଲେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋକୁ ତଥ୍ୟ ଆସୁନି। ରାଜ୍ୟ ସରକାର ୨୦୧୮ରୁ ଏନେଇ ତଥ୍ୟ ଲୁଚାଉଛନ୍ତି। ଏନେଇ ମମତା ବାନାର୍ଜୀ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଶାହା ଦାବି କରିଛନ୍ତି। ରାଜ୍ୟପାଳ ଜଗଦୀପ ଧନ୍‌କାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭଦ୍ରାମି କରାଯାଉଛି। ସେ ସାମ୍ବିଧାନିକ ଆଇନ ଭିତରେ ରହି କାର୍ଯ୍ୟ କରୁଛନ୍ତି। ମମତା ତାଙ୍କ ଭଣଜାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଆମେ କିନ୍ତୁ ସଶକ୍ତ ବେଙ୍ଗଲ ଗଠନ କରିବା ଦିଗରେ ଅଗ୍ରସର ହେଉଛୁ। ରାଜ୍ୟରେ ଅରାଜକତା, ଅପରାଧ ଦୂର କରି ବିକାଶ ଦିଗକୁ ତ୍ୱରାନ୍ବିତ କରିବାକୁ ଚାହୁଁଛୁ। ସମୟ ପାଖେଇ ଆସିଲାଣି, ଭୋଟର ମଧ୍ୟ ସଚେତନ ହେଲେଣି ବୋଲି ଶାହା କହିଥିଲେ।

Share