Categories: ଜାତୀୟ

ଜ୍ୟାକଲିନଙ୍କୁ ଦେଖାଇବା ପାଇଁ ଅମିତ ଶାହାଙ୍କ ଅଫିସକୁ ଫୋନ କରିଥିଲେ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ସହ ବନ୍ଧୁତା କରିବା ପାଇଁ ଅଭିଯୁକ୍ତ ଠକ ସୁକେଶ ଚନ୍ଦ୍ରଶେଖର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଫିସ ନମ୍ବରକୁ କଲ କରିବାର ନକଲ କରିଥିଲେ। କେବଳ ଏତିକି ନୁହେଁ, ନିଜକୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଲିଥାଙ୍କ ରାଜନୈତିକ ପରିବାରର ସଦସ୍ୟ ବୋଲି ପରିଚୟ ଦେଇଥିଲେ। ବେଆଇନ ଟଙ୍କା ନେଣଦେଣ ମାମଲାରେ ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ଏହା ଦର୍ଶାଇଛି।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୩୬ ବର୍ଷୀୟ ଅଭିନେତ୍ରୀଙ୍କୁ ଚଳିତ ବର୍ଷ ଦୁଇ ଥର ପଚରାଉଚରା କରିଥିଲା। ତାଙ୍କ ଅନୁଯାୟୀ, ଚନ୍ଦ୍ରଶେଖର ନିଜକୁ ‘ଶେଖର ରତ୍ନ ଭେଲା’ ବୋଲି ପରିଚୟ ଦେଇଥିଲେ।

ଏହି ଚାର୍ଜଶିଟ୍‌ ଚଳିତ ମାସ ଆରମ୍ଭରୁ କୋର୍ଟରେ ଦାଖଲ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଥିରେ ଇଡି ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସହ ଅନ୍ୟ ୬ ଜଣଙ୍କ ନାମ ଉଲ୍ଲେଖ କରିଛି।

”ଚନ୍ଦ୍ରଶେଖର ୨୦୨୦ ଡିସେମ୍ବରରୁ ଲଗାତାର ଫର୍ନାଣ୍ଡିଜଙ୍କ ସହ ଯୋଗାଯୋଗ ପାଇଁ ଅନେକ କଲ ଓ ମେସେଜ କରିଥିଲେ। ହେଲେ ତାଙ୍କୁ ଜାଣି ନ ଥିବାରୁ କୌଣସି କଲ କିମ୍ବା ମେସେଜର ଉତ୍ତର ଦେଇ ନ ଥିଲେ ଜ୍ୟାକଲିନ। ଶେଷରେ ତାଙ୍କ ମେକଅପ୍‌ ଆର୍ଟିଷ୍ଟ ଶାନ ମୁଥାଥିଲଙ୍କୁ ଜଣେ ସରକାରୀ ଅଧିକାରୀ ଯୋଗାଯୋଗ କରି ନିଜକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟଳୟରୁ ଫୋନ କରିଥିବା କହିଥିଲେ। ଶେଖରଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଏବଂ ଜ୍ୟାକଲିନ ତାଙ୍କ କଣ୍ଟାକ୍ଟରେ ରହିବା ଉଚିତ ବୋଲି କହିଥିଲେ ଉକ୍ତ ଅଧିକାରୀ। ପରେ ଅଭିନେତ୍ରୀଙ୍କ ନିକଟରେ ନିଜକୁ ସନ ଟିଭିର ମାଲିକ ଏବଂ ଜୟଲଲିଥାଙ୍କ ରାଜନୈତିକ ପରିବାର ସଦସ୍ୟ ବୋଲି ପରିଚୟ ଦେଇଥିଲେ ସୁକେଶ“ ବୋଲି ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି।

Share