ନୂଆଦିଲ୍ଲୀ,୯।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହା ଗୁରୁବାର ତେଲଙ୍ଗାନାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି,୨୦୨୪ ନିର୍ବାଚନ ହେଉଛି ରାହୁଲ ଗାନ୍ଧୀଙ୍କ ବନାମ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ, ଏହି ନିର୍ବାଚନ ଜିହାଦ ବିରୋଧରେ ଭୋଟ ଅଟେ, ଏହା ବିକାଶର ଭୋଟ ।
ତେଲଙ୍ଗାନାର ଭୋଙ୍ଗୀର ଠାରେ ଆୟୋଜିତ ସାଧାରଣ ସଭାରେ ମହାରାଣା ପ୍ରତାପଙ୍କୁ ସ୍ମରଣ କରି ଅମିତ ଶାହା କହିଛନ୍ତି, ଆଜି ମହାରାଣା ପ୍ରତାପଙ୍କ ଜନ୍ମଦିନ, ଯିଏ ମୋଗଲମାନଙ୍କ ବିରୁଦ୍ଧରେ ଲଢିଥିଲେ। ମୁଁ ତାଙ୍କୁ ନମସ୍କାର କରୁଛି। ଏହି ନିର୍ବାଚନ ହେଉଛି ରାହୁଲ ଗାନ୍ଧୀଙ୍କ ଚାଇନାର ଗ୍ୟାରେଣ୍ଟି ବିରୋଧରେ ମୋଦି ଜୀଙ୍କର ଭାରତୀୟ ଗ୍ୟାରେଣ୍ଟିର ଏକ ନିର୍ବାଚନ। ତିନି ପର୍ଯ୍ୟାୟ ନିର୍ବାଚନ ପରେ ଆମେ ପାଖାପାଖି ୨୦୦ରେ ଆସନରେ ଜିତିବୁ।