ପୁଅଙ୍କୁ ଦେଖି ଭାବବିହ୍ବଳ ହେଲେ ବିଗ୍‌ବି,ଆଖିରୁ ଝରିଲା ଲୁହ

ବମ୍ବେ: କାହାପାଇଁ ସେ ମହାନାୟକ ହୋଇଥାଇପାରନ୍ତି, ହେଲେ ବ୍ୟକ୍ତିଗତ ଜୀବନରେ ସେ ଜଣେ ଶ୍ରେଷ୍ଠ ପିତା। ଆମେ କହୁଛୁ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କଥା। ଅକ୍ଟୋବର ୧୧ରେ ଅମିତାଭଙ୍କୁ ୮୦ ବର୍ଷ ହେବ। ଏହାକୁ ନେଇ ପୂର୍ବରୁ ତାଙ୍କ ପାଇଁ କେବିସି ମଞ୍ଚରେ ଖାସ୍‌ ବନ୍ଦୋବସ୍ତ କରାଯାଇଛି।

ଅମିତାଭଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବାକୁ କେବିସି-୧୪କୁ ଆସିବେ ସ୍ତ୍ରୀ ଜୟା ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ। ପ୍ରଥମ ଥର ପାଇଁ ଜୟା ଏହି ଶୋ’କୁ ଆସୁଥିବାରୁ ଅନେକ କିଛି ବିଶେଷ ମୂହୁର୍ତ୍ତ ଦେଖିବାକୁ ମିଳିବ ଆଶା କରାଯାଉଛି। ଏହି ପାରିବାରିକ ମିଳନର ଫଟୋ ସୋନି ଟିଭିର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହାକୁ ଶେୟାର କରି ଅମିତାଭଙ୍କୁ ଶୁଭେଚ୍ଛା ଜଣାଇବାକୁ କୁହାଯାଇଛି। ଯିଏ ଶ୍ରେଷ୍ଠ ଶୁଭେଚ୍ଛା ଜଣାଇବ ତାର ବାର୍ତ୍ତା କେବିସିରେ ଦେଖାଯିବ ବୋଲି ଉଲ୍ଲେଖ କରାଯାଇଛି।

ଆସନ୍ତା ମଙ୍ଗଳବାର ଏହି ଖାସ୍‌ ଏପିସୋଡ ଟେଲିକାଷ୍ଟ ହେବ। ଏହାର ଏକ ପ୍ରମୋ ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଉଛି। ଅଭିଷେକ ଶୋ’ରେ ସରପ୍ରାଇଜ୍‌ ଏଣ୍ଟ୍ରି କରୁଛନ୍ତି। ଏହାକୁ ଦେଖି ବିଗ୍‌ ବି ଭାବବିହ୍ବଳ ହୋଇଯାଉଛନ୍ତି। ଆଖିରେ ତାଙ୍କର ଲୁହ ଥିବା ବେଳେ ଅଭିଷେକଙ୍କୁ ସେ ଆଲିଙ୍ଗନ କରୁଛନ୍ତି।

Share