ଭିନ୍ନ ଜାତିରେ ବିବାହ ଯୋଗୁ ଭାଗ୍ୟଶ୍ରୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ପରିବାର; ଅମିତାଭ ଜାଣିବା ପରେ…

ବମ୍ବେ: ପ୍ରେମବିବାହକୁ ଆଜି ବି ଅନେକେ ପରିବାର ପସନ୍ଦ କରନ୍ତି ନାହିଁ। ଯଦି ବି ପ୍ରେମୀଯୁଗଳ ପରିବାରକୁ ନ ଜଣାଇ ବିବାହ କରିନିଅନ୍ତି, ତେବେ ପରିବାରଲୋକେ ତାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଦେଇଥାନ୍ତି। ସେଭଳି ଏକ ଘଟଣାକ୍ରମ କୌନ ବନେଗା କରୋଡପତିରେ ଦେଖିବାକୁ ମିଳିଛି। ଶୁକ୍ରବାର ହଟ୍‌ସିଟ୍‌ରେ ବସିଥିଲେ ମହାରାଷ୍ଟ୍ରର ଜଲଗାଓଁର ଭାଗ୍ୟଶ୍ରୀ ତାୟଡେ। ସେ ନିଜ ଇଚ୍ଛାରେ ଭିନ୍ନ ଜାତିରେ ବିବାହ କରିଥିଲେ। ଏହାପରେ ତାଙ୍କ ବାପାମା’ ଭାଗ୍ୟଶ୍ରୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। ଅମିତାଭ ଏହା ଜାଣିବା ପରେ ପ୍ରତିଯୋଗୀଙ୍କ ବାପାଙ୍କ ସହ କଥା ହୋଇ ଝିଅକୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଭାଗ୍ୟଶ୍ରୀଙ୍କ ମୁହଁରୁ ପରିବାରକୁ ନେଇ କ୍ଷୋଭ କଥା ଶୁଣି ଭାବବିହ୍ବଳ ହୋଇଯାଇଥିଲେ ବିଗ୍‌ ବି। ଏହା ତାଙ୍କୁ ବ୍ୟକ୍ତିଗତ କଷ୍ଟ ଦିଏ ବୋଲି ସେ କହିଥିଲେ। କାରଣ ଅମିତାଭଙ୍କ ବାପାମା’ ଭିନ୍ନ ଜାତିର ବିବାହ କରିଥିଲେ। ମା’ ଶିଖ୍‌ ଥିବା ବେଳେ ବାପା ଥିଲେ ଉତ୍ତରପ୍ରଦେଶର କାୟସ୍ତ ପରିବାରର। ଏହାକୁ ପରିବାରଲୋକେ ବିରୋଧ କରିଥିଲେ। ପରେ ସେମାନେ ବିବାହକୁ ଗ୍ରହଣ କରିଥିଲେ। ହେଲେ ଅମିତାଭଙ୍କ ବାପା ଜାଣିଶୁଣି ତାଙ୍କ ନାମ ବଚ୍ଚନ ରଖିଥିଲେ। ଏହା ତାଙ୍କର କବି ଉପନାମ ଥିଲା। ଏହାଦ୍ୱାରା ଜାତି ବିଷୟରେ କେହି ଜାଣିପାରିବେ ନାହିଁ ବୋଲି ସେ ଭାବିଥିଲେ। ତାହା ହିଁ ହୋଇଥିଲା।

ତେବେ ହଟ୍‌ସିଟ୍‌ରେ ବସି ଭାଗ୍ୟଶ୍ରୀ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଥିଲେ। ସେ ୨୫ ଲକ୍ଷ ଟଙ୍କାର ପ୍ରଶ୍ନର ଉତ୍ତର ଜାଣି ନ ଥିବାରୁ କ୍ୱିଟ୍‌ କରିଥିଲେ।

Share