ଅମିତାଭ ବଚ୍ଚନଙ୍କ ଏହି ଗୋଟିଏ ସ୍ବପ୍ନ ଆଜି ପର୍ଯ୍ୟନ୍ତ ହୋଇନାହିଁ ପୂରଣ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ସ୍ବର ଏବଂ ଉଚ୍ଚତା ପାଇଁ ସେ ଅନ୍ୟମାନଙ୍କ ଠାରୁ ଭିନ୍ନ। ତାଙ୍କର ଲୋକପ୍ରିୟତା କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି। ହେଲେ ଅମିତାଭଙ୍କର ଏକ ସ୍ବପ୍ନ ରହିଛି ଯାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ।
ମୁମ୍ବାଇର ୩ଟି ବଙ୍ଗଳାର ମାଲିକ ହେଉଛନ୍ତି ବିଗ୍‌ ବି। ଏଥିସହ ମୁମ୍ବାଇର ଅନେକ ପ୍ରପର୍ଟିର ମାଲିକ ସେ। ଏବେ ତାଙ୍କ ପାଖରେ ଟଙ୍କା, ଘରର କୌଣସି ଅଭାବ ନାହିଁ। ଏହାସତ୍ତ୍ୱେ ମଧ୍ୟ ସେ ତାଙ୍କ ବାପାଙ୍କ ସ୍ବପ୍ନର ଏକ ଘର କିଣି ପାରି ନାହାନ୍ତି।
ଆହ୍ଲାବାଦରେ ଅମିତାଭ ବାପା ହରିବଂଶ ରାୟ ଏବଂ ମା’ ତେଜି ବଚ୍ଚନଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ୧୯୮୪ରେ ବିଗ୍‌ ବି ନିର୍ବାଚନ ଲଢ଼ିବା ସମୟରେ ଉକ୍ତ ଘରକୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏହା ଟ୍ରଷ୍ଟ ସମ୍ପତ୍ତି ହୋଇଥିବାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଏହି ଇଚ୍ଛା ପୂରଣ ହୋଇପାରିଲା ନାହିଁ।
୧୯୩୯ ମସିହାରେ ହରିବଂଶ କାଟଘର ଅଞ୍ଚଳରେ ଥିବା ଘର ଛାଡି କ୍ଲାଇଭ ରୋଡରେ ଥିବା ବଙ୍ଗଳରେ ପରିବାର ସହ ଭଡ଼ାରେ ରହୁଥିଲେ। ଏହି ବଙ୍ଗଳାରେ ୩ଟି ବଡ଼ ବଡ଼ କୋଠରୀ ରହିଛି। ଏଥିରେ ଗୋଟିଏ କୋଠରୀ ସବୁଠାରୁ ସ୍ବତନ୍ତ୍ର। ଏହି କୋଠରୀରେ କବାଟ, ଝରକାକୁ ମିଶାଇ ସମୁଦାୟ ୧୦ଟି ଦ୍ୱାର ରହିଛି। ଏହି କାରଣ ପାଇଁ ଉକ୍ତ ବଙ୍ଗଳାକୁ ୧୦ ଦ୍ୱାର ବିଶିଷ୍ଟ ବଙ୍ଗଳା ମଧ୍ୟ କୁହାଯାଏ। ଅମିତାଭ ଆଜି ପର୍ଯ୍ୟନ୍ତ ଏହି ଘରକୁ କିଣିପାରି ନାହାନ୍ତି, ହେଲେ ଏହି ଘରେ ତାଙ୍କର ଅନେକ ସ୍ମୃତି ରହିଛି। ଏ କଥା ଏକ ସାକ୍ଷାତକାରରେ ନିଜେ ଅମିତାଭ କହିଥିଲେ।ମୁମ୍ବାଇରେ ୩ଟି ବଙ୍ଗଳା ଜଲସା, ପ୍ରତୀକ୍ଷା ଏବଂ ଜନକ ରହିଛି।

Share