ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଅମିତାଭଙ୍କ ମୁଖପାତ୍ର। ଏହା ପୂର୍ବରୁ ସଲମାନ ଖାନ୍‌ ଓ ଅକ୍ଷୟ କୁମାର ସିନେ ଜଗତରେ ସର୍ବାଧିକ ଆୟକର ଦେଉଥିବା ଅଭିନେତା ରହିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷରେ ସଲମାନ ୪୪.୫ କୋଟି ଟଙ୍କା ଆଗୁଆ ଆୟକର ଜମା କରିଥିଲେ। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ଅଭିନେତା ଅକ୍ଷୟ କୁମାର ସର୍ବାଧିକ ୨୯.୫ କୋଟି ଟଙ୍କା ଆୟକର ଦେଇଥିବା ସୂଚନା ରହିଛି। ଅମିତାଭ ୨୦୧୮-୧୯ ଆର୍ଥିକ ବର୍ଷରେ ୭୦ କୋଟି ଟଙ୍କା ଆୟକର ଦେବା ସହ ବିହାର ମୁଜାଫରନଗରର ୨୦୮୪ ଜଣ କୃଷକଙ୍କ କୃଷି ଋଣ ମଧ୍ୟ ଶୁଝିଛନ୍ତି। ଏହା ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପ୍ରତି ଯବାନଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଟଙ୍କା ସହାୟତା କରିଥିଲେ। ନିକଟରେ ମୁକ୍ତିଲାଭ କରିଥିବା ସୁଜୋୟ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବଦଲା’ରେ ଅମିତାଭ ଅଭିନୟ କରିଥିବା ବେଳେ ଏହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ବିଗ୍‌ ବି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଗାମୀ ଖ୍ରୀଷ୍ଟମାସରେ ‘ବ୍ରହ୍ମାସ୍ତ୍ର’ ପରଦାକୁ ଆସିବ ବୋଲି ସୂଚନା ମିଳିଛି।

Share