ନୂଆ ସଂସଦ ଭବନର ପୌରାଣିକ ମହତ୍ୱ ଜାଣିବାକୁ ଚାହୁଁଛନ୍ତି ବିଗ ବି

ମୁମ୍ବାଇ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରି ଦେଇଛନ୍ତି। ଏହାସହ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇ ଯାଇଛି। କଂଗ୍ରେସ ସମେତ ୧୯ ବିରୋଧୀ ଦଳ ଏହି ସମାରୋହକୁ ବହିଷ୍କାର କରିଛନ୍ତି। ଏପଟେ ସାଧାରଣରୁ ନେଇ ଅସାଧାରଣ ପର୍ଯ୍ୟନ୍ତ ସମସ୍ତେ ଏହି ନୂଆ ସଂସଦ ଭବନ ସମ୍ପର୍କରେ ଅଧିକ ଜାଣିବାକୁ ଉତ୍ସୁକ ଅଛନ୍ତି। ଏହି ତାଲିକାରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ନାମ ବି ଯୋଡି ହୋଇ ଯାଇଛି।

ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ପ୍ରଶଂସକଙ୍କ ସହିତ ନିଜର ଦିନଚର୍ଯ୍ୟା ଶେୟାର କରିଥାଆନ୍ତି। ସେହିଭଳି ସେ ଶୁକ୍ରବାର ବି ଏକ ବ୍ଲଗ ଲେଖିଛନ୍ତି। ଯେଉଁଥିରେ ସେ ନୂଆ ସଂସଦ ଭବନକୁ ନେଇ ଅନେକ ଉତ୍ସାହ ପ୍ରକାଶ କରିଥିବା ଦେଖାଯାଇଛି। ବିଗ ବି କେବଳ ଏହି ନୂଆ ସଂସଦ ଭବନ ପାଇଁ ଶୁଭକାମନା ଜଣାଇ ନ ଥିଲେ, ବରଂ ଏହାର ମହତ୍ୱ ବିଷୟରେ ଜାଣିବାକୁ ଉତ୍ସାହିତ ଥିବା କହିଥିଲେ।
ଶୁକ୍ରବାର ତାଙ୍କ ବ୍ଲଗରେ ବିଗ ବି ଲେଖିଛନ୍ତି, ‘ଦେଶର ନୂଆ ସଂସଦ ଭବନ ଖୋଲିବାକୁ ଯାଉଛି। ଜଣେ ପୂର୍ବତନ ଏମପି ହୋଇଥିବାରୁ ମୁଁ ଏହି ବିଶେଷ ଉତ୍ସବରେ ମୋର ଶୁଭେଚ୍ଛା ଜଣାଉଛି ମୁଁ ବର୍ତ୍ତମାନ ଏହି ନୂତନ ସଂସଦ ଭବନର ବୈଶିଷ୍ଟ୍ୟ ଏବଂ ଆକାର ବିଷୟରେ ଅଧିକ ଜାଣିବାକୁ ଚାହୁଁଛି। ଆହୁରି ମଧ୍ୟ, ମୁଁ ଜାଣିବାକୁ ଚାହେଁ ଏହି ନୂଆ ଭବନର ଧର୍ମଶାସ୍ତ୍ରିୟ, ପୌରାଣିକ, ଜ୍ୟୋତିଷୀୟ ଅର୍ଥ କ’ଣ ରହିଛି।

Share