ମିଥ୍ୟା ପାଇଁ ଅନେକ ସମୟରେ ଯୁକ୍ତି କରାଯାଏ, ସତ୍ୟ ତା’ର ନିଜର ଓକିଲ

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ରାଜନେତା, ସେଲିବ୍ରିଟ୍‌ କେହି ଏଥିରୁ ବାଦ୍‌ ପଡ଼ୁ ନାହାନ୍ତି। ତଳେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ବିଗ୍‌ ବି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିଥାନ୍ତି। ଏବେ ସେ ନିଜର ଏକ ଗମ୍ଭୀର ମତ ପ୍ରକାଶ କରିଛନ୍ତି। ବିଶେଷ କଥା ହେଉଛି, ନିଜର ଗମ୍ଭୀର ଧାରଣାକୁ ସମର୍ଥନ କରି ବିଗ୍‌ ବି ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଲେଖାକୁ ଉଲ୍ଲେଖ କରିଛନ୍ତି।
ବିଗ୍‌ ବି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲେଖିଛନ୍ତି, ‘ମିଥ୍ୟା ପାଇଁ ଅନେକ ସମୟରେ ଯୁକ୍ତି କରାଯାଏ କିନ୍ତୁ ସତ୍ୟ ତା’ର ନିଜର ଓକିଲ’। ସେ ତାଙ୍କ ପିତାଙ୍କର ୨ ଧାଡି ମଧ୍ୟ ଉଲ୍ଲେଖ କରିଛନ୍ତି, ‘ମୁଁ ଲୁଚାଇବା ଜାଣିଥିଲେ ଜଗତ ମୋତେ ସାଧୁ ଭାବିଥାନ୍ତା; ମାତ୍ର କିଛି ଳୁଚାଉ ନ ଥିବାରୁ ସମସ୍ତେ ମୋର ଶତ୍ରୁ ପାଲଟିଲେଣି। ’
ବିଗ୍‌ ବି କରୋନାକୁ ହରାଇ ଘରକୁ ଫେରିବା ପରେ ସେ ଚିକିତ୍ସୀତ ହେଉଥିବା ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଥିଲେ। ତେବେ କିଛି ଲୋକ ଏହାକୁ ହସ୍ପିଟାଲର ପ୍ରମୋଶନ ବୋଲି କହିଥିଲେ। ଏ ନେଇ ସୋସିଆଲ ମିଡିଆରେ ଜଣେ ମହିଳା ବିଗ୍‌ ବିଙ୍କ ଉପରେ ଅଭିଯୋଗ ଆଣି କହିଥିଲେ, ସେ ହସ୍ପିଟାଲର ପ୍ରମୋଶନ କରୁଛନ୍ତି। ବିଗ୍‌ ବି ପୂର୍ବରୁ ଏହାର ଉତ୍ତର ତାଙ୍କୁ ଦେଇ ସାରିଥିଲେ। ଏବେ ତାଙ୍କୁ ଟାର୍ଗେଟ କରି ପୁଣିଥରେ ଏପରି ଲେଖିଥିବା ଜଣାପଡ଼ିଛି।

Share