ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଅମିତାଭଙ୍କ ନାତୁଣୀ

ମୁମ୍ବାଇ,୧୮।୩: ନିକଟରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତିରଥ ସିଂ ରାୱତ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ମନ୍ତବ୍ୟ ଯୋଗୁ ଚାରିଆଡ଼େ ସେ ସମାଲୋଚନାର ଶିକାର ହେଉଛନ୍ତି। ମହିଳାମାନେ ଚିରା ଓ ଫଟା ଜିନ୍ସ ପିନ୍ଧି ସମାଜକୁ କି ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ରାୱତ ପ୍ରଶ୍ନ କରିଥିଲେ। ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା। ପ୍ରଥମେ ନିଜର ମାନସିକତାକୁ ବଦଳାଇବା ଦରକାର ବୋଲି ନଭ୍ୟା କହିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, ଆମର ପୋଷାକ ବଦଳାଇବା ପୂର୍ବରୁ ତୁମର ମାନସିକତା ପରିବର୍ତ୍ତନ କର।
ସୂଚନାଯୋଗ୍ୟ, ଶିଶୁ ସୁରକ୍ଷା ଆୟୋଗର ଏକ କର୍ମଶାଳାର ଉଦଘାଟନ ସମୟରେ ତିରଥ ସିଂ ରାୱତ ମହିଳା ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆଜିକାଲି ମହିଳାମାନେ ଚିରା ଜିନ୍ସ ପିନ୍ଧୁଛନ୍ତି, ଏସବୁ ଠିକ କି … ଏହା କି ପ୍ରକାର ସଂସ୍କାର? ପିଲାମାନଙ୍କ ମଧ୍ୟରେ କେମିତି ସଂସ୍କାର ଆସେ। ଏହା ଅଭିଭାବକଙ୍କ ଉପରେ ନିର୍ଭର କରେ। କିଛି ମହିଳା ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।

Share