ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମା’ ତେଜି ବଚ୍ଚନ ଦୁନିଆରୁ ବିଦାୟ ନେବାର ୧୫ ବର୍ଷ ବିତିଗଲାଣି। ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଅମିତାଭ ଭାବପ୍ରବଣ ହୋଇପଡିଛନ୍ତି। ଏକ ପୋଷ୍ଟରେ ମା’ ଦୁନିଆକୁ ବିଦାୟ ନେଇଥିବା ମୁହୂର୍ତ୍ତ ବିଷୟରେ ସେ ଉଲ୍ଲେଖ କରିଛନ୍ତି।
ଅମିତାଭ ଲେଖିଛନ୍ତି-ଆଜି ସକାଳେ ସେ ଏହି ଦୁନିଆକୁ ସବୁଦିନ ପାଇଁ ଛାଡିଥିଲେ। ସେତେବେଳେ ମୋର ପରିବାର ସଦସ୍ୟ ଏବଂ ମୁଁ ହସ୍ପିଟାଲର କୋଠରୀରେ ଏକାଠି ଛିଡ଼ା ହୋଇଥିଲୁ। ଡାକ୍ତରମାନେ ମା’ଙ୍କ ମୃତଦେହକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଥିବାର ଦେଖୁଥିଲୁ, ସେତେବେଳେ ଆମେ ଜାଣି ଯାଇଥିଲୁ ଯେ, ତାଙ୍କର ଦେହାନ୍ତ ହୋଇଛି। କୋଠରୀରେ ଥିବା ମନିଟର ଏକ ସିଧା ଲାଇନ ଦେଖାଉଥିଲା। ସେହି ସମୟ ମଧ୍ୟରେ ମୁଁ ଡାକ୍ତରମାନଙ୍କୁ କହିଲି ତାଙ୍କୁ ଛାଡିଦିଅ, ସେ ଯିବାକୁ ଚାହାଁନ୍ତି। କାରଣ ପମ୍ପ ମାଧ୍ୟମରେ ତାଙ୍କ ଶରୀରକୁ ପୁନର୍ଜୀବିତ କରିବାକୁ ଅସଫଳ ପ୍ରୟାସ କରାଯାଉଥିଲା। ସେହି ମୁହୂର୍ତ୍ତଟି ମୋ ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା, ଆମ ସମସ୍ତଙ୍କ ଆଖିରେ ଲୁହ ଆସିଗଲା। ମୋ ମା’ ଦୁନିଆର ସବୁଠାରୁ ସ୍ନେହୀ ମଣିଷ ଥିଲେ।
୨୧ ଡିସେମ୍ବର ୨୦୦୭ରେ, ତେଜି ବଚ୍ଚନ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅମିତାଭଙ୍କ ମା’ ଜଣେ ପ୍ରସିଦ୍ଧ ସାମାଜିକ କର୍ମୀ ଭାବରେ ମଧ୍ୟ ଜଣାଶୁଣା।