ଏହି ଫିଲ୍ମ କରିବାକୁ ଅମିତାଭ-ଜୟା ନେଇ ନାହାନ୍ତି ଟଙ୍କାଟିଏ ପାରିଶ୍ରମିକ

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ି ଉଭୟ ଅନ୍‌ ସ୍କ୍ରିନ୍‌ ଏବଂ ଅଫ୍‌ ସ୍କ୍ରିନରେ ବହୁତ ପସନ୍ଦ କରାଯାଇଥାଏ। ଉଭୟେ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି। ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ଜାଣନ୍ତି କି ଦୁହେଁ ଏମିତି ଏକ ଫିଲ୍ମ କରିଛନ୍ତି, ଯେଉଁଥିପାଇଁ ସେମାନେ ଗୋଟିଏ ଟଙ୍କାଟିଏ ମଧ୍ୟ ନେଇ ନ ଥିଲେ। ଆଜି ବି ଲୋକମାନେ ସେହି ଫିଲ୍ମକୁ ଭୁଲି ନାହାନ୍ତି।

୧୯୭୫ରେ ଋଷିକେଶ ମୁଖାର୍ଜୀ ‘ଚୁପ୍‌କେ ଚୁପ୍‌କେ’ ନାମକ ଏକ କମେଡି ଫିଲ୍ମ ଆଣିଥିଲେ। ଏହି ଫିଲ୍ମରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ୍‌ ପ୍ରକାଶ, ଉଷା କିରଣ ପ୍ରମୁଖ ନଜର ଆସିଥିଲେ। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଜୟା ସ୍ପୋର୍ଟିଂ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପୂର୍ବରୁ ମଧ୍ୟ ଅମିତାଭ ୧୯୭୩ରେ ‘ଜଞ୍ଜିର’ରେ ସଫଳତା ହାସଲ କରିଥିଲେ। ତଥାପି ସେ ଏହି ଫିଲ୍ମରେ ଜଣେ ସହଯୋଗୀ ଅଭିନେତା ହେବାକୁ ଇଚ୍ଛା କରୁଥିଲେ। କାରଣ ଋଷିକେଶ ମୁଖାର୍ଜୀ ଉଭୟ ଜୟା ଏବଂ ଅମିତାଭଙ୍କ ପ୍ରିୟ ନିର୍ଦ୍ଦେଶକ ଥିଲେ। ସେ ସବୁବେଳେ ତାଙ୍କ ସହିତ କାମ କରିବାକୁ ଚାହୁଁଥିଲେ। ଏହି ଫିଲ୍ମରେ ଅମିତାଭ-ଜୟା ରୋଲ୍‌ କରିବା ପଛରେ ମଧ୍ୟ ଏକ ବଡ଼ କାରଣ ଥିଲା।

ଅମିତାଭ ଏବଂ ଜୟାଙ୍କ ଭୂମିକା ପାଇଁ ଋଷିକେଶ ଏକ ନୂଆ ଚେହେରା ଖୋଜୁଥିଲେ। କିନ୍ତୁ ଅମିତାଭ-ଜୟା ଋଷିକେଶଙ୍କ କମେଡି ଫିଲ୍ମରେ କାମ କରିବାକୁ ଜିଦ୍‌ ଧରିଥିଲେ। ସେ ଋଷିକେଶଙ୍କ ଫିଲ୍ମରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯଦିଓ ନିର୍ଦ୍ଦେଶକ କହିଥିଲେ, ସେ ଏକ ନୂଆ ଚେହେରା ଖୋଜୁଛନ୍ତି, ତୁମେ ଦୁହେଁ ଏହି ଚରିତ୍ର ପାଇଁ ଫିଟ୍‌ ନୁହଁ। ସେତେବେଳେ ଦୁହେଁ ତାଙ୍କୁ କହିଥିଲେ ଯେ, ସେ ଏହି ଫିଲ୍ମ ପାଇଁ କୌଣସି ଫି’ ନେବେ ନାହିଁ। ଏହା ପରେ ଋଷିକେଶ ଉଭୟଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ଦେଇଥିଲେ।

ଶେଷରେ ସେମାନଙ୍କ ଇଚ୍ଛା ପୂରଣ ହୋଇଥିଲା। ଫିଲ୍ମ ‘ଚୁପ୍‌କେ ଚୁପ୍‌କେ’ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲା। ଆଜି ବି ଲୋକମାନେ ଏହି କମେଡି ଫିଲ୍ମକୁ ଭୁଲି ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର କୌଣସି ରିମେକ୍‌ କରାଯାଇନାହିଁ। ଏହା ପୂର୍ବରୁ ଅମିତାଭ ‘ବମ୍ବେ ଟୁ ଗୋଆ’ ଭଳି କମେଡି ଫିଲ୍ମରେ ଅଭିନୟ କରିଥିଲେ।

Share