Categories: ଖେଳ

ମିଟ୍‌ ରେକର୍ଡ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ୱର, ୨୦ା୬,(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ ସୋମବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ଅନ୍ତିମ ଦିନରେ ୧୯ ଜଣ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ଶଟ୍‌ପୁଟ୍‌, ମହିଳା ୮୦୦ ମିଟର ଦୌଡ ଓ ପୁରୁଷ ଜାଭେଲିନ୍‌ ଥ୍ରୋରେ ୩ ଜଣ ଲେଖାଏ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟ ପକ୍ଷରେ ପୁରୁଷ ୨୦୦ ମିଟର ସ୍ପ୍ରିଣ୍ଟରେ ନୂତନ ମିଟ୍‌ ରେକର୍ଡ କରିଛନ୍ତି ଆସାମର ଅମ୍ଲାନ ବୋର୍ଗୋହେନ୍‌। ଚେନ୍ନାଇରେ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ସେ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି। ୨୦୨୦ରେ ୨୦.୮୦ ସେକେଣ୍ଡର ଟାଇମିଂ ହାସଲ କରିଥିବା ବେଳେ ସୋମବାର ୨୦.୭୧ ସେକେଣ୍ଡର ଟାଇମିଂ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତେବେ ଏସିଆନ୍‌ ଗେମ୍ସ ପାଇଁ ରହିଥିବା ୨୦.୬୧ ସେକେଣ୍ଡରୁ ସେ ପଛରେ ରହି ଯାଇଛନ୍ତି। କର୍ନାଟକର ଶଶିକାନ୍ତ ବିରୁପାକ୍ଷ ୨୧.୦୮ ସେକେଣ୍ଡ ସହିତ ଦ୍ୱିତୀୟ ଓ ଉତ୍ତର ପ୍ରଦେଶର ଆକାଶ କୁମାର ତୃତୀୟ ସ୍ଥାନ ହାସଲ କରିଥିଲେ।
ମହିଳା ଜାଭେଲିନ୍‌ ଥ୍ରୋୟର ଅନୁ ରାଣୀ ୫୮.୨୨ ମିଟରର ଥ୍ରୋ ସହିତ ପ୍ରଥମ ସ୍ଥାନରେ ରହି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ହରିୟାଣାର ପ୍ରିୟଙ୍କା(୫୧.୨୨ ମି.) ଓ ଆନ୍ଧ୍ରପ୍ରଦେଶର ରଶ୍ମି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।
ମହିଳା ଲଙ୍ଗଜମ୍ପରେ କେରଳର ଆନ୍ସି ସୋଜାନ ଓ ୟୁପିର ଶାଇଲି ସିଂ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆନ୍ସି ୬.୫୧ ମିଟର ଡେଇଁଥିବା ବେଳେ ଶାଇଲି ୬.୪୯ ମିଟର ଡେଇଁଥିଲେ। ମହିଳା ହାଇଜମ୍ପରେ ହରିୟାଣାର ପୂଜା ୧.୮୦ ମିଟର ଡେଇଁ ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ୮୦୦ ମିଟର ଦୌଡରେ ୩ ଜଣ ଖେଳାଳି ଏସିଆନ୍‌ ଗେମ୍ସ ଯୋଗ୍ୟତା ମାର୍କରୁ ଅଗରେ ରହିଛନ୍ତି।ଚନ୍ଦା(୨.୦୩.୮୨), ହରମିଲନ୍‌ ବେଂଶ(୨.୦୪.୦୪)ଓ କେ ଏମ୍‌ ଦୀକ୍ଷା(୨.୦୪.୩୫) ଯୋଗ୍ୟତା ଅର୍ଜନରେ ସଫଳ ହୋଇଛନ୍ତି।
ମହିଳା ଶଟ୍‌ପୁଟ୍‌ରେ ୩ ଜଣ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉତ୍ତର ପ୍ରଦେଶର କିରଣ ବଲିୟାଁ ୧୭.୧୭ ମିଟର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ହରିୟାଣାର ମନ୍‌ପ୍ରୀତ୍‌ କୌର ୧୬.୬୧ ମିଟର ସହ ଦ୍ୱିତୀୟ ଓ ମହାରାଷ୍ଟ୍ରରା ଆଭା ଖତୁଆ ତୃତୀୟ ସ୍ଥାନରେ ରହିଛନ୍ତି।

Share