ବରଫକଳରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍‌

ବାଲେଶ୍ୱର ଅଫିସ, ୨୬।୨: ବାଲେଶ୍ୱର ଟାଉନ ଥାନା ଅଧୀନ ମଠସାହି ଅଞ୍ଚଳର ତାରିଣୀ ଛକରେ ଥିବା ମାଗ୍ନସ ଫୁଡ୍‌ ବରଫକଳରୁ ଶୁକ୍ରବାର ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି। ଗ୍ୟାସ୍‌ ଲିକ୍‌ ହେବାରୁ ଅଞ୍ଚଳରେ ପ୍ରବଳ ଗନ୍ଧ ହେବା ସହ ଲୋକଙ୍କ ଆଖି ପୋଡିବା ଓ ଛିଙ୍କ ହେବାରୁ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ। ଖବରପାଇ ଅଗ୍ନିଶମ ବିିଭାଗ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଏପରିକି ଗ୍ୟାସ୍‌ ଲିକ୍‌ ଯୋଗୁ ନୟନାକୁମାରୀ ହାଇସ୍କୁଲର ଛାତ୍ରୀଛାତ୍ରମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଜଣେ ୧୦ ବର୍ଷୀୟ ନାବାଳକ କୌଣସି କାରଣରୁ ସେଠାକୁ ଆସିଥିବା ବେଳେ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା। ପ୍ରଶାସନ ପକ୍ଷରୁ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ଉକ୍ତ ବରଫକଳ ଦୀର୍ଘ ବର୍ଷ ଧରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଚାଲିଆସୁଛି। ପୂର୍ବରୁ ଏହିଭଳି ୩ରୁ ୪ଥର ଗ୍ୟାସ୍‌ ଲିକ୍‌ ହୋଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜିଲା ଅଗ୍ନିଶମ ବିଭାଗ ଅଧିକାରୀ ପୁରନ ସୋରେନ ଘଟଣାର ତଦନ୍ତ କରି ଉକ୍ତ ବରଫକଳକୁ ବନ୍ଦ କରିବା ପାଇଁ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍‌ ଅଧିକାରୀ, ଜିଲାପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ଏନେଇ ୩ରୁ ୪ ଦିନ ବରଫକଳ ବନ୍ଦ ରହିଥିଲା। ହେଲେ ପୁଣି ପୂର୍ବପରି ବରଫ କଳ ଚାଲୁ ରହିଥିଲା। ଶୁକ୍ରବାର ଏପରି ଘଟଣା ଘଟିବା ପରେ ଜିଲା ଅଗ୍ନିଶମ ବିଭାଗ ଅଧିକାରୀ ସୋରେନ, ଟାଉନ୍‌ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ସଦର ତହସିଲଦାର ଅନାମିକା ସିଂ ପହଞ୍ଚତ୍ ରାସ୍ତାକୁ ସିଲ୍‌ କରିବା ସହ ବିଦ୍ୟାଳୟକୁ ବନ୍ଦ କରିଥିଲେ। ସ୍ଥାନୀୟ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ। ଦୀର୍ଘ ୪ଘଣ୍ଟା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଫ୍ୟାକ୍ଟ୍ରି ମଧ୍ୟରେ ଲିକ୍‌ ଗ୍ୟାସ୍‌କୁ ଠାବ କରି ବନ୍ଦ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share