ଶ୍ରୀନଗର,୨୫।୬: ଜମ୍ମୁ-କଶ୍ମୀର ଶୋପିଆନର ହାଜିପୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶୁକ୍ରବାର ହୋଇଥିବା ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଏବେ ବି ଆଉ ୨ଜଣ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ଦୁଇ ପକ୍ଷରୁ ଏବେ ବି ଗୁଳିବିନିମୟ ଜାରି ରହିଛି। ସୂଚନାଯୋଗ୍ୟ, ହାଜିପୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ଖବର ପାଇଥିଲେ। ଏହାପରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ସ୍ଥାନରେ ଥିବା ସମସ୍ତ ଘରକୁ ସର୍ଚ୍ଚ ଅପରେଶନ୍ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଭୟଭୀତ ହୋଇପଡ଼ି ଏକ ଘର ଭିତରୁ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।