ସାଉଦି ଆରବ,୨୭।୪: ୩୦ ବର୍ଷ ଧରି ଶୌଚାଳୟ (ଟଏଲେଟ)ରେ ସିଙ୍ଗଡ଼ା ତିଆରି କରାଯାଉଥିଲା। ପରେ ଏହା ଜଣାପଡ଼ିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ଚଢ଼ାଉ କରି ସିଲ୍ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିିଛି ସାଉଦି ଆରବର ଯେଦ୍ଧା ସହରରେ।
ରେଷ୍ଟୁରାଣ୍ଟରେ ୱାଶରୁମରେ ଜଳଖିଆ ଏବଂ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। ଖବରପାଇ ମ୍ୟୁନିସିପାଲିଟି ଅଧିକାରୀମାନେ ରେଷ୍ଟୁରାଣ୍ଟରେ ଚଢ଼ାଉ କରି ତାହାକୁ ସିଲ କରି ଦେଇଛନ୍ତି। ସେଠାରେ ମାଂସ ଏବଂ ପନିର ଭଳି ଖାଦ୍ୟ ରଖାଯାଇଥିଲା, ଯାହା ମଧ୍ୟରୁ କିଛି ଦୁଇ ବର୍ଷ ପୂର୍ବରୁ ଥିଲା। ସେଠାରେ କୀଟପତଙ୍ଗ ଏବଂ ମୂଷା ମଧ୍ୟ ଦେଖିବାକୁ ମିଳିଥିଲା। ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସ୍ବାସ୍ଥ୍ୟ କାର୍ଡ ନଥିବା ବେଳେ ନିମ୍ନମାନର ଖାଦ୍ୟ ଏବଂ ନିୟମ ଉଲ୍ଲଂଘନ ଲାଗି ମ୍ୟୁନିସିପାଲିଟି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି।