ଅମରିଶ ପୁରୀଙ୍କ ବାୟୋପିକ

ମୁମ୍ବାଇ: ବଲିଉଡରେ ଏବେ ବାୟୋପିକର ଟ୍ରେଣ୍ଡ ଚାଲଛି । ହିନ୍ଦୀ ସିନେମାର ଦମଦାର ଅଭିନେତା ତଥା ଖଳନାୟକ ‘ମୋଗେଂବୋ’ଙ୍କ କାହାଣୀ ବଡ ପରଦାରେ ଦେଖିବା ଏକ ଭିନ୍ନ ଅନୁଭବ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ବଡ ପରଦାରେ ମୋଗେଂବୋ ଓରଫ ପରଲୋକଗତ ଅଭିନେତା ଅମରିଶ ପୁରୀଙ୍କ ବାୟୋପିକ ନିର୍ମାଣ ହେବାକୁ ଯାଉଛି ।
ଖଳନାୟକ ଭାବେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଅମରିଶ ପୁରୀ ଆଜିବି ଦର୍ଶକଙ୍କ ହୃଦୟରେ ଜୀବିତ ଅଛନ୍ତି । ଏବେ ମିଳିଥିବା ଖବର ଅନୁଯାୟୀ, ଖୁବଶୀଘ୍ର ତାଙ୍କର ବାୟୋପିକ ନିର୍ମାଣ ହେବାକୁ ଯାଉଛି । ଭିଲିୟନ ଭାବେ ସମସ୍ତଙ୍କୁ ଡରାଉଥିବା ଅମରିଶ ପୁରୀ ବାସ୍ତବ ଜୀବନରେ କିଭଳି ବ୍ୟକ୍ତିତ୍ୱ ଥିଲେ ତାହା ବଡ ପରଦାରେ ଦେଖିବାକୁ ଦର୍ଶକେ ନିଶ୍ଚିତ ଭାବେ ଉତ୍ସାହିତ ହେବ । ଅଭିନେତାଙ୍କ ନାତି ବର୍ଧନ ପୁରୀ ଜେଜେଙ୍କ ଜୀବନୀକୁ ବଡ ପରଦାରେ ଉତାରିବାକୁ ଚାହୁଁଛନ୍ତି । ପିଙ୍କ ଭିଲାର ରିପୋର୍ଟ ଅନୁଯାୟୀ, ଅମରିଶ ପୁରୀଙ୍କ ବାୟୋପିକ ଖୁବଶୀଘ୍ର ନିର୍ମାଣ କରାଯିବ ।
ଅମରିଶ ପୁରୀଙ୍କ ୧୯୯୭ରୁ ୨୦୦୫ ପର୍ଯ୍ୟନ୍ତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଆଇକନିକ ଚରିତ୍ରରେ ଅଭିନୟ କରିଥିଲେ । ସେ ସମୟରେ ପ୍ରାୟ ୯୦ ପ୍ରତିଶତ ଫିଲ୍ମରେ ଅମରିଶ ପୁରୀ ଖଳନାୟକ ଭାବେ ନଜର ଆସୁଥିଲେ । ଡାର୍କ ରୋଲ ବ୍ୟତୀତ ଅମରିଶ ପୁରୀ ପିତା ଓ ଦେଶପ୍ରେମୀ ଚରିତ୍ରରେ ବି ଦର୍ଶକଙ୍କ ମନ କିଣିଥିଲେ । ଅଭିନେତାଙ୍କ ଦମଦାର ଆୱାଜ, ଏକ୍ସପ୍ରେଶନ ସବୁ କିଛି କମାଲ କଲାଭଳି ଥିଲା । ‘ଗଦ୍ଦର’ଠାରୁ ଆରମ୍ଭ କରି ‘ମିଷ୍ଟର ଇଣ୍ଡିଆ’ ପର୍ଯ୍ୟନ୍ତ ଦର୍ଶକେ ତାଙ୍କୁ ମନେ ରଖିଛନ୍ତି ।
ପ୍ରାୟ ୪୦ ବର୍ଷ ବୟସେରେ ବଲଉଡରେ ଏଣ୍ଟ୍ରି କରିଥିବା ଅମରିଶ ପୁରୀ ତାଙ୍କର ୩୮ ବର୍ଷର କ୍ୟାରିୟର ଭିତରେ ୪୫୦ ଫିଲ୍ମରେ ଅଭିନୟ କରିଥିଲେ । ଆରମ୍ଭରୁ ସେ ଚାକିରି କରିବା ସହ ଫିଲ୍ମରେ କାମ ବି କରୁଥିଲେ । ସେ ଟେଲିଭିଜନରୁ ବଡପରଦା ପର୍ଯ୍ୟନ୍ତ ଅଭନୟର କମାଲ ଦେଖାଇଥିଲେ । ସେ ତାଙ୍କ ଜମାନାର ସବୁଠାରୁ ମହଙ୍ଗା ଖଳନାୟକ ଥିଲେ । ସେତେବେଳେ ସେ ଫିଜ୍ ନେଉଥିଲେ ଏକ କୋଟି ଟଙ୍କା । ଗଳାରେ କ୍ୟାନସର କାରଣରୁ ୧୨ ଜନୁୟାରୀ ୨୦୦୫ରେ ତାଙ୍କର ମୃତ୍ୟୁ ହୋଇଥିଲା ।

Share