ଏକଦା ଫିଲ୍ମରେ କାମ ଦେବାକୁ ମନା କରିଥିଲେ ଭାଇ,ହେଲେ ବଲିଉଡ୍‌ର ମହାନ ଖଳନାୟକ ପାଲଟିଥିଲେ…

ବମ୍ବେ: ଭାରତୀୟ ସିନେମାର ମହାନ ଖଳନାୟକଙ୍କ ମଧ୍ୟରୁ ଜଣେ ଥିଲେ ଅମରିଶ ପୁରୀ। ୧୯୩୨ରେ ଜନ୍ମିତ ଏହି ଅଭିନେତା ମିଷ୍ଟର ଇଣ୍ଡିଆ, ନସିବ, ହିରୋ, କୋଏଲା, କରନ ଅର୍ଜୁନ ଏବଂ ସଲ୍‌ତନତ ଭଳି ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ବାହାବା ସାଉଁଟିଥିଲେ। ୩୦ ବର୍ଷର ଅଭିନୟ ଜୀବନରେ ସେ ୪୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ହେଲେ ସଫଳତାର ଶୀର୍ଷରେ ପହଞ୍ଚିବାର ରାସ୍ତା ସେତେଟା ସହଜ ନ ଥିଲା।

ପ୍ରାରମ୍ଭିକ ଦିନଗୁଡ଼ିକରେ ବୀମା ଏଜେଣ୍ଟ ଭାବେ କାମ କରୁଥିଲେ ଅମରିଶ। ହେଲେ ତାଙ୍କ ଭାଇ ମଦନ ପୁରୀ ଫିଲ୍ମରେ କାମ କରୁଥିଲେ। ଏକଦା ଅମରିଶ ତାଙ୍କୁ ଫିଲ୍ମରେ କାମ ମାଗିଥିଲେ। ହେଲେ ସେ ସଫାସଫା ମନା କରିବା ସହ ତାଙ୍କ ଚେହେରା ହିରୋ ହେବା ଯୋଗ୍ୟର ନୁହେଁ ବୋଲି ମନା କରିଥିଲେ। ଏହା ପରେ ଅମରିଶ ଥିଏଟରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୬୭ରେ ପ୍ରଥମ ଥର ଲାଗି ସେ ମରାଠୀ ଫିଲ୍ମ ‘ଶନ୍ତତୁ!କୋର୍ଟ ଚାଲୁ ଆହେ’ରେ ନଜର ଆସିଥିଲେ। ଏଥିରେ ତାଙ୍କ ଚରିତ୍ରଟି ଥିଲା ଏକ ଅନ୍ଧ ବ୍ୟକ୍ତିର।

୪୦ ବର୍ଷ ବୟସରେ ସେ ସୁନୀଲ ଦତ୍ତଙ୍କ ଫିଲ୍ମ ରେଶମା ଏବଂ ଶେରା ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ ତାଙ୍କ ପାଇଁ ଟର୍ନିଂ ପଏଣ୍ଟ ଥିଲା। ‘ମୋଗାମ୍ବୋ’ ଚରିତ୍ରଟିର ଡାଏଲଗ୍‌ ଆଜି ବି ପ୍ରଶଂସକଙ୍କ ମନରେ ରହିଛି।

ବଲିଉଡ୍‌ରେ ସବୁଠାରୁ ଅଧିକ ପାଉଣା ନେଉଥିବା ଖଳନାୟକ ହେଉଛନ୍ତି ଅମରିଶ। ସେ ହଲିଉଡରେ ମଧ୍ୟ କାମ କରିଛନ୍ତି। ୨୦୦୫ରେ ବ୍ରେନ୍‌ ହାମରେଜ ହେବା କାରଣରୁ ଅଭିନେତାଙ୍କ ନିଧନ ହୋଇଥିଲା। ଆଜି ଏହି ଅଭିନେତାଙ୍କ ଜନ୍ମଦିନ ହୋଇଥିବା ବେଳେ ତାଙ୍କୁ ପ୍ରଶଂସକମାନେ ମନେ ପକାଉଛନ୍ତି।

Share