ନୟାଗଡ଼ ଅଫିସ/ଓଡ଼ଗାଁ,୨୨ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଗାଁର ଅମ୍ରିତ ପାତ୍ର ଗଣମାଧ୍ୟମ ସମ୍ମୁଖରେ ଅପହରଣ ସମୟର ଲୋମଟାଙ୍କୁରା କଥା ବୁଧବାର ବଖାଣିଛନ୍ତି । ମୁଁ ପୁଣି ଥରେ ମା’ବାପାଙ୍କୁ ଦେଖିବି କି ନାହିଁ ଜାଣି ନ ଥିଲି। ସେଦିନ ସବୁ ଦିନ ପରି ମୁଁ ଟିଉଶନରୁ ଘରକୁ ଫେରୁଥାଏ। ମୋତେ ଜଣେ ଯୁବକ ଅଟକାଇ ରାସ୍ତା ଛାଡିଲେନି। ବୋଲେରୋରେ ୨ ଜଣ ଥିଲେ। କିଛି ସମୟ ପରେ ହଠାତ୍ ବୋଲେରୋରୁ ଜଣେ ଲୋକ ଓହ୍ଲାଇ ଆସି ମୋ ପାଟି ବନ୍ଦ କରି ନେଇଗଲେ। ମୋ ମୁହଁରେ କପଡା ବାନ୍ଧି ଦେଲେ। ଆମ ଗାଁର ଏକ ଗୋଦାମରେ ନେଇ ମୋତେ ରଖିଲେ। ଗୋଦାମରେ ୨ରୁ ୩ ଘଣ୍ଟା ରଖିଲା ପରେ ପଣ୍ଡିତ ସାହି ଘରକୁ ନେଇ ଗଲେ। ସେଠାରେ ୩ ଦିନ ରଖିଲେ। ମୋତେ ଯେଉଁ ଯୁବକ ଜଗି ରହୁଥିଲେ ତାଙ୍କୁ ମୁଁ ଆଉ ଦେଖିବାକୁ ପାଇଲି ନାହିଁ। ଖସିବା ପାଇଁ ବିଭିନ୍ନ ସମୟରେ ଚିକତ୍ାର କରିଥିଲି। ହେଲେ କେହି ଶୁଣି ପାରିଲେ ନାହିଁ। ସେମାନେ ମୋତେ ଖାଇବାକୁ ବିସ୍କୁଟ ଓ ପକୁଡି ଦେଉଥିଲେ। ହେଲେ ମୋର ଭୋକ ନ ଥିଲା। ମୁଁ ଖସିବାକୁ ବାରମ୍ବାର ଚେଷ୍ଟା କରିଛି, ହେଲେ ବିଫଳ ହୋଇଛି। କେବଳ ଅପେକ୍ଷା କରିଥିଲି ଅପହରଣକାରୀ କେତେବେଳେ ଚାଲିଯିବେ ମୁଁ ଖସି ପଳାଇବି। ସେମାନେ ମୋର ହାତ ଗୋଡକୁ ବାନ୍ଧି ରଖିଥିଲେ। ହିନ୍ଦୀରେ କଥାବର୍ତ୍ତା କରୁଥିଲେ ମଧ୍ୟ ସବୁ ମୁଁ ବୁଝି ପାରୁ ଥିଲି। ଘରକୁ ବୋମା ପକାଇ ଉଡ଼ାଇଦେବୁ ବୋଲି ଧମକ ଦେଇଥିଲେ। ଲୁଚି ପଳାଇବା ଉଦ୍ୟମ କଲେ ତଣ୍ଟି କାଟିଦେବୁ ବୋଲି କହୁଥିଲେ। ପରିବାର ଲୋକଙ୍କୁ ମାରି ଦେବାକୁ ବାରମ୍ବାର ଚେତାବନୀ ଦେଉଥିଲେ। ଅପହରଣ ସମୟରୁ ମୁଁ ସେମାନଙ୍କୁ ଚିହ୍ନି ପାରିଥିଲି। ମୋ ଗାଁର ଲୋକ ହୋଇଥିବାରୁ ସେମାନଙ୍କୁ ମୁଁ ଚିହ୍ନିବା କଷ୍ଟ ହୋଇ ନ ଥିଲା। ୧୯ ତାରିଖ ସକାଳେ ମୁଁ ପାଟି କରି ଡାକିଲି। ଜଣେ ମହିଳା ଜାଣି ପାରିଲେନି। ଅନ୍ୟ ଜଣେ ମହିଳା ମୋ ପାଟି ଶୁଣିପାରି ଉଦ୍ଧାର କରିଥିଲେ ବୋଲି ସେ କହିଥିଲେ ।