ଫେଲ୍‌ ମାରିଛି ଅମୃତ ଯୋଜନା: ପାଣି ଘେରରେ ବସ୍ତି ବାସିନ୍ଦା

ବାଲେଶ୍ୱର ଅଫିସ, ୫।୧୦-ବାଲେଶ୍ୱର ସହରକୁ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହାର ଉନ୍ନତୀକରଣ ଲାଗି କୋଟି କୋଟି ଟଙ୍କା ମଞ୍ଜୁର କରାଯାଇଛି। ହେଲେ ସେଭଳି କୌଣସି ଆଖିଦୃଶିଆ ଉନ୍ନତି କରାଯାଇଥିବା ଅନୁମେୟ ହେଉନାହିଁ। ଅସରାଏ ବର୍ଷା ହେଲେ ସହର ଅବସ୍ଥା ବେହାଲ ହୋଇପଡୁଛି। ସହରର ନାଳ ଓ ମହାନାଳର ସଂଯୋଗୀକରଣ ଲାଗି କୌଣସି ଯୋଜନା ଦେଖାଯାଉନାହିଁ। ସହର ସାରା ଅଳିଆ ଆବର୍ଜନାରେ ଭର୍ତ୍ତି। ଅଳ୍ପ ବର୍ଷା ହେଲେ ଡ୍ରେନରୁ ପାଣି ବାହାରି ବସ୍ତି ତଥା ତଳିଆ ଅଞ୍ଚଳର ଥିବା ଘର ଭିତରେ ପଶିଯାଉଛି। ଏଥିପ୍ରତି ମ୍ୟୁନିସିପାଲିଟି କିମ୍ବା ବ୍ରିଟ୍‌ କାହାରି ନଜର ନାହିଁ। ସହରବାସୀ ହନ୍ତସନ୍ତ ହେଉଛନ୍ତି।
୩ ଦିନ ଧରି ଲଘୁଚାପଜନିତ ବର୍ଷା ଲାଗି ରହିଛି। ଜିଲାରେ ୨ତାରିଖରେ ୩୦୯.୩ ମି.ମି., ୩ ତାରିଖରେ ୫୦୦ ମି.ମି. ଏବଂ ୪ ତାରିଖରେ ୧୧୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ନାଳ ମୁକୁଳା ଥିବା ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଯେଉଁଠି ନାଳ କାମ ହେଉଛି, ଉକ୍ତ ଅଞ୍ଚଳରେ ଥିବା ଘରଗୁଡିକରେ ଡ୍ରେନ ପାଣି ପଶିଯାଇଛି। ଏପରିକି ବହୁ ମୁଖ୍ୟ ରାସ୍ତାରେ ପାଣି ଚାଲିଛି। ସହରବାସୀ ନାନା ସମସ୍ୟାରେ ପଡୁଛନ୍ତି। ବାଲେଶ୍ୱର ପୌରାଞ୍ଚଳ ଅଧୀନରେ ଥିବା ୩୧ ୱାର୍ଡରେ ଅମୃତ ଯୋଜନା ପୂର୍ବରୁ ୫୧୯ କି.ମି. ୯୬୫ ମିଟର ଦୈର୍ଘ୍ୟର କଚ୍ଚା ଡ୍ରେନ ଥିଲା। ସେହିପରି ଘୋଡଣୀ ନ ଥିବା ଡ୍ରେନ ୬୩୦ କି.ମି. ୧୦୦ମିଟର ଏବଂ ପ୍ଳେଟ ପଡି କଭର ଥିବା ଡ୍ରେନର ଦୈର୍ଘ୍ୟ ୫୦୦ ମିଟର ଥିଲା। ଅବଶ୍ୟକ ଡ୍ରେନଗୁଡିକର ମରାମତି କାର୍ଯ୍ୟ ଚାଲୁ ରହିଛି। ବର୍ଷା ଋତୁରେ ଡ୍ରେନ ମରାମତି କାର୍ଯ୍ୟ ହେଉଥିବାରୁ ପାଣି ନିଷ୍କାସନରେ ସମସ୍ୟା ଉପୁଜିବା ସହ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ତେବେ ସହରରେ ଥିବା ନାଳ ଓ ମହାନାଳଗୁଡିକୁ ସଂଯୋଗ କରି ଏକ ମାଷ୍ଟରପ୍ଳାନର ଆବଶ୍ୟକତା ରହିଥିବା ବିଭିନ୍ନ ମହଲରୁ ଦାବି ହେଉଛି।