Categories: ଜାତୀୟ

ଇଂଲଣ୍ଡ ଖସି ପଳାଉଥିଲେ ଅମ୍ରିତପାଲଙ୍କ ସ୍ତ୍ରୀ: ଧରିଲା ପୋଲିସ

ନୂଆଦିଲ୍ଲୀ,୨୦।୭: ଆସାମର ଦିବ୍ରୁଗଡ ଜେଲରେ ଦଣ୍ଡ ଭୋଗୁଥିବା ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ପୁଣି ଥରେ ଇଂଲଣ୍ଡ ଯିବାକୁ ଅଟକାଯାଇଛି। ଇଂଲଣ୍ଡ ପାଇଁ କିରଣଦୀପ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠୁ ପୋଲିସ ତାଙ୍କୁ ଧରିଥିଲା। ଏହାପୂର୍ବରୁ ତାଙ୍କୁ ଦୁଇଥର ଇଂଲଣ୍ଡ ଯିବା ବନ୍ଦ କରି ଦିଆଯାଇଥିଲା। ୩ ଘଣ୍ଟା ଧରି ପଚରାଉଚରା ପରେ କିରଣଦୀପଙ୍କୁ ଘରକୁ ପଠାଯାଇଛି।
କିରଣଦୀପ କୌର ବ୍ରିଟେନର ନାଗରିକ। ଭାରତରେ ରହିବା ପାଇଁ ତାଙ୍କ ଭିସାର ବୈଧତା ଚଳିତମାସ ପର୍ଯ୍ୟନ୍ତ ରହିଛି। କିନ୍ତୁ ତା’ପୂର୍ବରୁ ସେ ଭାରତ ଛାଡି ଚାଲିଯିବାକୁ ଚାହୁଁଥିଲେ। କିରଣଦୀପଙ୍କ ଉପରେ ପଞ୍ଜାବ ପୁଲିସ ମଧ୍ୟ ନଜର ରଖିଥିଲା। ଯଦିଓ କିରଣଦୀପଙ୍କ ନାଁରେ ପଞ୍ଜାବରେ କିମ୍ବା ଦେଶର ଅନ୍ୟ କୌଣସି ସ୍ଥାନରେ ମାମଲା ନାହିଁ ବା ସ୍ବାମୀ ଅମ୍ରିତପାଲଙ୍କ କାର୍ଯ୍ୟରେ ତାଙ୍କର କିଛି ଭୂମିକା ଥିବାର ପ୍ରମାଣ ନାହିଁ, ତଥାପି ତାଙ୍କୁ ପୋଲିସ ନଜର ରଖିଛି।
ଖଲିସ୍ତାନ ସପକ୍ଷରେ ଯୁକ୍ତି ବାଢି ବେଶ କିଛି ସମୟ ଧରି ଘୃଣାର ମଞ୍ଜି ପୋତି ଚାଲିଥିବା ତଥା ଅନ୍ୟାନ୍ୟ ଆପରାଧିକ ମାମଲାରେ ଜଡିତ ଅମ୍ରିତପାଲ ସିଂହ ଗତ ଫେବୃଆରୀ ମାସରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଫେବୃଆରୀ ୨୩ ତାରିଖରେ ସେ ଓ ତା’ର ଶତାଧିକ ସହଯୋଗୀ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ ଧରି ପଞ୍ଜାବର ଅଜନାଲା ଥାନାକୁ ଜବରଦସ୍ତି ପଶିଥିଲେ। ଥାନାକୁ ଜବରଦସ୍ତି ପଶିବା ବେଳେ ସେମାନଙ୍କ ସହିତ ହୋଇଥିବା ସଂଘର୍ଷରେ ୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିଲା। ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୋଲିସ ତାଙ୍କୁ ଧରିବା ପାଇଁ ପ୍ରୟାସ କଲା ବେଳେ ସେ ଖସି ଥିଲେ। ଶେଷରେ ସେ ଆତ୍ମସମର୍ପଣ କରିଥିଲେ।

Share