Categories: ଜାତୀୟ

ରକେଟ ମାଡ ସମ୍ବନ୍ଧରେ ସୂଚନା ଦେଉଥିଲା ମୋବାଇଲ ଆପ୍‌, ଇସ୍ରାଏଲରୁ ଫେରିବା ପରେ ଅନୁଭୂତି ବାଣ୍ଟିଲେ ଭାରତୀୟ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କର ପ୍ରଥମ ବ୍ୟାଚ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଇସ୍ରାଏଲରେ ଆତଙ୍କବାଦୀ ହମାସ ଆକ୍ରମଣରେ ଦେଶସାରା ରକ୍ତପାତ ସଂଘର୍ଷ ଦେଖାଯାଇଛି। ଅନେକଙ୍କୁ ହମାସ୍‌ ହତ୍ୟା କରିବା ସହ ବନ୍ଧକ ରଖିଛି। ତେବେ ସେଠାରୁ ଭାରତୀୟଙ୍କୁ ଫେରାଇଆଣିବା ପାଇଁ ଅପରେଶନ ଅଜୟ ଆରମ୍ଭ ହୋଇଥିଲା।
ତେବେ ଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଭାରତୀୟ ଛାତ୍ରୀଛାତ୍ରମାନେ ସେମାନଙ୍କର ଅନୁଭୂତି ବାଣ୍ଟିଥିଲେ ଏବଂ ରକେଟ ଆକ୍ରମଣ ସମୟରେ ଏକ ମୋବାଇଲ ଆପ କିପରି ସେମାନଙ୍କ ଜୀବନ ରକ୍ଷା କରିଥିଲା ତାହା ଜଣାଇଥିଲେ।

ସେମାନେ କହିଛନ୍ତି, ଯେତେବେଳେ ବି ସାଇରନ ଶବ୍ଦ ହୁଏ, ଆମେ ସତର୍କ ହୋଇଯାଉ। ଏହାପରେ ମୋବାଇଲ ଆପ୍‌ରେ ଦେଖାଏ କି, ଆମ ଲୋକେଶନରୁ କେତେ କିମି ଦୂରରେ ବୋମା ମାଡ ହୋଇଛି ଓ କେଉଁଠି ବୋମା ମାଡ ହେବାକୁ ଯାଉଛି।
ସେହିପରି ଜଣେ ଭାରତୀୟ ଛାତ୍ରୀ କହିଛନ୍ତି, ମୋବାଇଲରେ ଅନେକ ପ୍ରକାର ଆପ୍‌ ଅଛି ଯାହା ମିସାଇଲ ମାଡ ଉପରେ ସୂଚନା ଦେଇଥାଏ। ଏଥିରେ ଗୋଟିଏ ଆପର ନାମ ହେଉଛି ‘କୁମତା’। ଯେତେବେଳେ ମିସାଇଲ ଖସିବାକୁ ଥାଏ ଏହି ଆପ୍‌ ଆମକୁ ସତର୍କ ସୂଚନା ଦେଇଥାଏ। ଯଦି ରାତି ୧ଟା ସମୟରେ କୌଣସି ମିସାଇଲ ମାଡ ହୁଏ ଏବଂ ଆମେ ସାଇରନ ଶଦ୍ଦ ଶୁଣି ନ ଥାଉ ତେବେ ଏହି ଆପ ସାହାଯ୍ୟରେ ମିସାଇଲ ମାଡ ବିଷୟରେ ସତର୍କ ସୂଚନା ପାଇଥିଲୁ। ତେଲ ଅଭିଭରେ ମିସାଇଲ ଆକ୍ରମଣ ପରେ ବଙ୍କରକୁ ଯିବାକୁ ମାତ୍ର ୯୦ ସେକେଣ୍ଡ ସମୟ ଥାଏ। ଏହା ପୂର୍ବରୁ ଏହି ମୋବାଇଲ ଆପ୍‌ ଆମକୁ ସୂଚନା ଦେଇଥାଏ।

Share