ବସିଲା ସର୍ବଦଳୀୟ ବୈଠକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି

ଭୁବନେଶ୍ୱର, ୨୧। ୧୧ (ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମ୍‌ ଛାତ୍ରୀଛାତ୍ର ଥିବା ୧୪ହଜାରରୁ ଊର୍ଦ୍ଧ୍ୱ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧକରି ଓଡିଶା ଅଭିଭାବକ ମହାସଂଘ ଶୁକ୍ରବାର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛି। ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ୭ଟି ପ୍ରସ୍ତାବ ଗୃହୀତ କରାଯାଇଛି। ରାଜ୍ୟର ସମସ୍ତ ରାଜନୈତିକ ଦଳ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିବ। ବେଆଇନ ଭାବେ ଚାଲୁଥିବା ବିନା ସ୍ବୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ବନ୍ଦ ସହ ଦୋଷୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେବାକୁ ଦାବି ରଖାଯିବ। ସେହିପରି ବନ୍ଦ ହେବାକୁ ଥିବା ସମସ୍ତ ସ୍କୁଲର ଅଭିଭାବକମଣ୍ଡଳୀ ସ୍କୁଲ ବନ୍ଦ ପ୍ରତିବାଦରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପଠାଇବେ। ସବୁ ରାଜନୈତିକ ଦଳ, ଶିକ୍ଷକ ସଂଘ ଓ ଗଣ ସଙ୍ଗଠନମାନଙ୍କୁ ନେଇ ପ୍ରତି ଜିଲାରେ ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ମିଳନୀ କରାଯିବ। ସ୍କୁଲ ବନ୍ଦର ବିକଳ୍ପ ପାଇଁ ବିଶିଷ୍ଟ ଶିକ୍ଷାବିତ ଓ ବିଶେଷଜ୍ଞଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜନ କରାଯିବ। ଶିକ୍ଷାର ସୁରକ୍ଷା ଓ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ଶିକ୍ଷକ ସଙ୍ଗଠନ ଇତ୍ୟାଦିଙ୍କୁ ନେଇ ଏକ ବ୍ୟାପକ ମଞ୍ଚ ଓ ଅଭିଯାନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଜେଡିର ଦେବୀ ପ୍ରସାଦ ମିଶ୍ର, କଂଗ୍ରେସର ରିପୁନାଥ ସେଠ ଓ ଅମିୟ ପାଣ୍ଡବ, ଭାଜପାର ପୃଥ୍ବୀରାଜ ହରିଚନ୍ଦନ, ସିପିଆଇର ଆଶିଷ କାନୁନ୍‌ଗୋ, ସିପିଆଇ(ଏମ)ର ଅଳିକିଶୋରେ ପଟ୍ଟନାୟକ ଓ ସୁରେଶ ପାଣିଗ୍ରାହୀ, ସିପିଆଇଏମ୍‌ଏଲ୍‌ର ଯୁଧିଷ୍ଠିର ମହାପାତ୍ର, ଏଏପିର ନିଶିକାନ୍ତ ମହାପାତ୍ର, ବିଏସ୍‌ପିର ମଧୁସୂଦନ ଯାଦବ, ସମାଜବାଦୀ ପାର୍ଟିର
ସୁଦର୍ଶନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share