ପାହାଡ଼ିଆ ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଜନ୍ମହେଲା ଶିଶୁକନ୍ୟା

ରାୟଗଡ଼ା ଅଫିସ,୨ା୭: ସରକାରଙ୍କ ଏତେ ବ୍ୟବସ୍ଥା ପରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶ୍ୱାଲି ପଞ୍ଚାୟତର ଦୁର୍ଗମ ନିୟମଗିରି ପାହାଡ଼ର ଡଙ୍ଗରିଆ ସାରିଝୋଲା ଗାେଁର। ଗ୍ରାମର ଟଙ୍ଗରୁ ସିକ୍‌କାଙ୍କ ସ୍ତ୍ରୀ କାଡ୍ରାକା ଡିକିଚି(୩୫)ଙ୍କୁ ଷ୍ଟ୍ରେଚରରେ ବୋହି ନେବା ସମୟରେ ସେ ରାସ୍ତାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କାଡ୍ରାକା ଯନ୍ତ୍ରଣା ଅନୁଭବ କରିବାରୁ ୧୦୮ ଆମ୍ବୁଲାନ୍ସକୁ ପରିବାର ଲୋକେ ଯୋଗାଯୋଗ କରିଥିଲେ। ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା, ଗାଡିଚାଳକ ଉମାକାନ୍ତ ଦଳପତି, ହେଲ୍ପର ମେଡି ବାବୁନି ନିୟମଗିରି ପାହାଡ଼ର ବଡ଼ଡେଙ୍ଗିଲେଲି ପର୍ଯ୍ୟନ୍ତ ଗାଡ଼ି ନେଇ ଯାଇଥିଲେ। ମାତ୍ର ସେହିଠାରୁ ଦୁର୍ଗମ ପାହାଡିଆ ରାସ୍ତାରେ ଗାଡ଼ିଯିବା ସମ୍ଭବ ନ ହେବାରୁ ୧୦୮ କର୍ମଚାରୀମାନେ ଷ୍ଟ୍ରେଚର ନେଇ ପ୍ରାୟ ୨କିମି ଯାଇ ଷ୍ଟ୍ରେଚରରେ ଆଣୁଥିବା ସମୟରେ କାଡ୍ରାକା ରାସ୍ତା କଡ଼ରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ପରେ ମା’ ଓ ଶିଶୁଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ମା’ ଓ ଶିଶୁକନ୍ୟା ସୁସ୍ଥ ରହିଥିବା ଡାକ୍ତର ସଂଗ୍ରାମ ଲିମା କହିଛନ୍ତି ।

Share