ଚଣ୍ଡିଖୋଲ/ ଛତିଆ, ୨୪ା୩(ଡି.ଏନ୍.ଏ.):ମାତାପିତାଙ୍କୁ ହରାଇ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆସ୍ଥିତ ଶିଶୁ ଯତ୍ନଗୃହ (ନେଶନ)ରେ ରହୁଥିବା ଭଉଣୀଭାଇ ଝରଣା ଗାଗରାଇ(୧୧) ଓ ବାଦଲ ଗାଗରାଇ(୯)ଙ୍କୁ ପାଳିତ ପୁତ୍ର ଏବଂ କନ୍ୟାଭାବେ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ୨ ବର୍ଷ ହେବ ଏହି ପିଲା ଦ୍ବୟଙ୍କୁ ନେବା ପାଇଁ ଦମ୍ପତି ଆବେଦନ କରିଥିଲେ। ଶେଷରେ ସେମାନଙ୍କୁ ଗୁରୁବାର ଗ୍ରହଣ କରିଛନ୍ତି। ନେଶନ ପରିସରରେ ୫ ବର୍ଷହେବ ଉକ୍ତ ଭଉଣୀଭାଇ ରହି ଆସୁଥିଲେ।
ଆମେରିକାର କାଲିଫର୍ନିଆସ୍ଥିତ ଡାକ୍ତର ଦମ୍ପତି ଷ୍ଟିଫେନ ଥାଡିଆସ୍ ଓ ତାଙ୍କ ଭାରତୀୟ ସ୍ତ୍ରୀ ଫାତିମା ନାଥାନ ପଙ୍କ୍ ପିଲାଙ୍କୁ ନେବାକୁ ନେଶନ ପରିସରରେ ପହଞ୍ଚିଥିଲେ। ଅନୁଷ୍ଠାନ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ସେମାନଙ୍କୁ ସ୍ବାଗତ କରିଥିଲେ। ପରେ ଅନୁଷ୍ଠାନ ପରିସରରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦେଖି ଅନୁଷ୍ଠାନ କର୍ମକର୍ତ୍ତା ଖୁସି ହେଉଥିବାବେଳେ ସହପାଠୀମାନେ ଲୁହ ଝରାଉଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ କରିବାପରେ ଆମେରିକୀୟ ଦମ୍ପତି ଅତ୍ୟନ୍ତ ଖୁସିଥିବା ଦେଖିବାକୁ ମିଳିଥିଲା। ଏଠାରେ ରହୁଥିବା ଅନାଥ ପିଲାଙ୍କୁ ବିଭିନ୍ନ ସମୟରେ ଦମ୍ପତିମାନେ ଆସି ସରକାରୀ ନିୟମ ଅନୁସାରେ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିଥାନ୍ତି ବୋଲି ନେଶନର ସମ୍ପାଦକ ସୂଚନା ଦେଇଛନ୍ତି। ସରକାରୀ ସ୍ବୀକୃତିପ୍ରାପ୍ତ ଏହି ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଶତାଧିକ ପିଲା ରହି ପାଠ ପଢୁଛନ୍ତି।