Categories: ଜାତୀୟ

ମଣିପୁର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଜନତା

ଇମ୍ଫାଲ,୨୧।୭: ମଣିପୁରର କୁକି-ଜୁ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଣିପୁରର ଥୋବାଲ ଜିଲାର ୟେରିପୋକ ଗ୍ରାମରେ କ୍ରୋଧିତ ଜନତା ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।
ସୂଚନାନୁସାରେ, ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଲୋକମାନେ ୟେରିପୋକ ଗ୍ରାମରେ ଏକାଠି ହୋଇଥିଲେ। ଏହା ପରେ ଅଶାନ୍ତ ଜନତା ମୁଖ୍ୟ ଅଭିଯୁକ୍ତ ହୁରେମ ହେରୋଡାସ ମେଟେଇଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ବିଳମ୍ବିତ ରାତିରେ ବରିଷ୍ଠ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ଘର ଜଳିଯାଇଥିବା ନିଶ୍ଚିତ କରିଛି। ତେବେ ପୋଲିସ ଏ ସମ୍ପର୍କରେ ଅନୁସନ୍ଧାନ କରୁଛି।
ଦୁଇ ମହିଳା ଉଲଗ୍ନ ଅବସ୍ଥାରେ ପରେଡ ହୋଇଥିବା ଘଟଣାର ଏକ ଭିଡିଓ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ମଣିପୁର ପୋଲିସ ଏକ ଟିମ ଗଠନ କରିଛି। ବୁଧବାର ରାତିରୁ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ପୋଲିସ ଅଧିକାରୀ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ।

Share