Categories: ଜାତୀୟ

ଇଭିଏମ୍‌ରୁ ଚିହ୍ନ ହଟାଇବା ଲାଗି ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୩୧।୧୦(ପି.ଟି.): ବାଲଟ ପେପର ଏବଂ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରୁ ଦଳୀୟ ଚିହ୍ନ ହଟାଇ ତାହା ପରିବର୍ତ୍ତେ ପ୍ରାର୍ଥୀଙ୍କ ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଫଟୋ ଲଗାଇବା ନିମନ୍ତେ ନିର୍ଦ୍ଦେଶ ଦେବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ଇଭିଏମ୍‌ରେ ଦଳୀୟ ଚିହ୍ନର ବ୍ୟବହାରକୁ ବେଆଇନ ଓ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ଆବେଦନକାରୀ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ରାଜନୀତିରୁ ଦୁର୍ନୀତି ଓ ଅପରାଧୀକରଣର ମୂଳୋତ୍ପାଟନ କରିବାକୁ ହେଲେ ଇଭିଏମ୍‌ ଏବଂ ବାଲଟ ପେପରରେ ଦଳୀୟ ଚିହ୍ନ ପରିବର୍ତ୍ତେ ପ୍ରାର୍ଥୀଙ୍କ ନାମ, ଯୋଗ୍ୟତା ଇତ୍ୟାଦି ରହିବା ସବୁଠୁ ଭଲ ସମାଧାନ ବୋଲି ଆବେଦନକାରୀ କହିଛନ୍ତି। ଏହା ହେଲେ ଭୋଟରମାନେ ବିଜ୍ଞ, ପରିଶ୍ରମୀ ଓ ସଚ୍ଚୋଟ ପ୍ରାର୍ଥୀଙ୍କୁ ବାଛିପାରିବେ। ସେହିପରି ଦଳୀୟ ଚିହ୍ନ ନ ରହିଲେ ଟିକେଟ ବଣ୍ଟନରେ ନେତାଙ୍କ ଏକଚ୍ଛତ୍ରବାଦିତା ମଧ୍ୟ ନିୟନ୍ତ୍ରଣ ହୋଇପାରିବ। ସେମାନେ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକେଟ ଦେବାକୁ ବାଧ୍ୟ ହେବେ। ନିର୍ବାଚନୀ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌)ର ସର୍ଭେ ଅନୁଯାୟୀ ୫୩୯ ନିର୍ବାଚିତ ଏମ୍‌ପିଙ୍କ ମଧ୍ୟରୁ ୨୩୩ ଜଣ ଅର୍ଥାତ୍‌ ୪୩ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। ୨୦୧୪ ନିର୍ବାଚନରେ ୫୪୨ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୫ ଜଣ ଅର୍ଥାତ୍‌ ୩୪ ପ୍ରତିଶତଙ୍କ ନାମରେ ଅପରାଧ ମାମଲା ଥିବା ଜଣାପଡିଥିଲା। ଇଭିଏମ୍‌ରେ ଦଳୀୟ ଚିହ୍ନର ବ୍ୟବହାର ଯୋଗୁ ଏଭଳି ସ୍ଥିତି ଦେଖାଦେଉଥିବା ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଛନ୍ତି।

Share