ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ହେବ ଆବେଦନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହର ପରିଚୟ ପାଇବା ନେଇ କମିଶନରେଟ ପୋଲିସ ପ୍ରୟାସ ଜାରି ରଖିଛି। କୋଲ୍‌କାତା ସମେତ ରାଜ୍ୟର ୧୧ଜିଲାରୁ ମୁଣ୍ଡବିହୀନ ମହିଳାଙ୍କ ସମ୍ପର୍କରେ ପୋଲିସକୁ ଖବର ମିଳିବା ପରେ ପୋଲିସ ଟିମ୍‌ ସେଠାରେ ପହଞ୍ଚତ୍ ଛାନ୍‌ଭିନ କରୁଛି। ହେଲେ ମହିଳାଙ୍କ ସମ୍ପର୍କରେ ସନ୍ତୋଷଜନକ ତଥ୍ୟ ମିଳିପାରି ନାହିଁ। ସୋମବାର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଯାଜପୁର ବରୀ ଅଞ୍ଚଳ ଯାଇ ଯାଞ୍ଚ କରିଥିଲା। ହେଲେ ସେଠାରେ ଏହି ମହିଳାଙ୍କ ସମ୍ପର୍କରେ ସନ୍ତୋଷଜନକ ତଥ୍ୟ ପାଇପାରି ନାହିଁ। ଅନ୍ୟପକ୍ଷରେ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି। ଆଧାର କାର୍ଡ ମାଧ୍ୟମରେ ମହିଳାଙ୍କ ପରିଚୟ ମିଳିପାରିବ ଆଶା ରଖି ପୋଲିସ ଏଭଳି ଯୋଜନା କରିଛି। ସେହିପରି ମହିଳାଙ୍କ ମୃତଦେହ ଉଦ୍ଧାର ହେବାର ୬ ଦିନ ପୂରିଯାଇଥିଲେ ବି ମୃତଦେହକୁ ସଂରକ୍ଷଣ ଗୃହରେ ରଖାଯାଇଛି। ଆହୁରି କିଛି ଦିନ ମୃତ ଦେହ ରଖାଯିବ ବୋଲି ସୂଚନା ମିଳିଛି। ଏହାସହ ମହିଳାଙ୍କ ଡିଏନ୍‌ଏ ପ୍ରୋଫାଇଲିଂ ପାଇଁ କିଛି ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ବିଭିନ୍ନ ସ୍ଥାନରୁ ମହିଳା ନିଖୋଜ ନେଇ ଫୋନ୍‌ କଲ ଆସୁଛି। ଏହାପରେ ସେହି କଲ୍‌କୁ ଯାଞ୍ଚ କରାଯାଉଛି। ଏହି ଘଟଣାରେ ବିଭିନ୍ନ ଥାନାର କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପାଇଁ ସାମିଲ କରାଯାଇଛି। ସେହିପରି ସ୍ବତନ୍ତ୍ର ପୋଲିସ ଟିମ୍‌ ମହିଳାଙ୍କ ସମ୍ପର୍କିତ ପୋଷ୍ଟର ଧରି ବିଭିନ୍ନ ବାହାର ରାଜ୍ୟ ସମେତ ରାଜ୍ୟର ବିଭିନ୍ନ ଜିଲା ଓ ବସ୍ତିରେ ବୁଲୁଛନ୍ତି ବୋଲି ଡିସିପି କହିଛନ୍ତି। ପ୍ରକାଶ ଯେ, ଗତ ୪ ତାରିଖ ପୂର୍ବାହ୍ନରେ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ସମ୍ପୃକ୍ତ ମହିଳାଙ୍କ ବୟସ ୩୫ରୁ ୪୦ବର୍ଷ ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ପରିଚୟ ମିଳି ନ ଥିବାବେଳେ, ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି। ଧରା ନ ପଡ଼ିବା ପାଇଁ ଦୁର୍ବୃତ୍ତମାନେ ମହିଳାଙ୍କ ମୁଣ୍ଡ କାଟି ନିଖୋଜ କରି ଦେଇଛନ୍ତି।

Share