Advertisement
Categories: କୋରାପୁଟ

ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢ଼ି କଳାକୁ ପୁନର୍ଜୀବିତ ପ୍ରୟାସ

କୋରାପୁଟ,୪ା୭(ସ୍ବ.ପ୍ର.): ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢୀ କଳାକୁ ପୁର୍ନଜୀବିତ କରିବା ଲାଗି ରବିବାର ଇନ୍‌ଟାକ ଓ କୋଟ୍‌ସ ପକ୍ଷରୁ ମିଳିତ କର୍ମଶାଳା ସ୍ଥାନୀୟ କୋଟସ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ା କେରଙ୍ଗ ଗଛର ବକଳରୁ ବୁଣାଯାଉଥିବା ଶାଢୀ ପ୍ରୟତଃ ଏବେ ଲୋପ ପାଇଗଲାଣି। କୋରାପୁଟ ଜିଲାର ଏହି ଗାଦବା ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢୀ କଳାକୁ ପୁର୍ନଜୀବିତ କରିବାକୁ ଆଗେଇ ଆସିଛି ଇନ୍‌ଟାକ ସଂସ୍ଥା ା କୋରାପୁଟର ପୂର୍ବତନ ଜିଲାପାଳ ସଞ୍ଜୀବ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାକୁ ଜିଲାପାଳ ଅବଦାଲ ଏମ. ଅଖତାର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ ା ଡ. ଅନିଲ ଧୀର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ଇନ୍‌ଟାକର ସର୍ଭେ ରିର୍ପୋଟ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ସେ ପ୍ରକାଶ କହିଥିଲେ। ଲମତାପୁଟ ବ୍ଲକର ଗୋଡି ହଞ୍ଜର ଗ୍ରାମର ମହିଳା ପୁରୁଷମାନେ କେରଙ୍ଗ ଗଛ ଓ ଶାଢି ବୁଣିବା ଉପକରଣ ଆଣି କର୍ମଶାଳାରେ ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ ା ଏହି ଅବସରରେ ଇନ୍‌ଟାକର ଆଜୀବନ ସଦସ୍ୟ ପରେଶ ରଥଙ୍କ ଦ୍ୱାରା ମହାରାଜା ବିକ୍ରମ ଦେବଙ୍କ ଉପରେ ରଚିତ ଇ-ବୁକ, ସୁନାବେଡା ମହିଳା ଡିଗ୍ରୀ କଲେଜର ଅଡିଆ ବିଭାଗ ଅଧ୍ୟାପକ ଡ. ବାସୁଦେବ ସାହୁଙ୍କ ଦ୍ୱାରା ଓଡିଆ ଭାଷାରେ ରଚିତ କୋରାପୁଟର କନ୍ଧ ସମ୍ପ୍ରଦାୟ ଉପରେ ଆଧାରିତ ପୁସ୍ତକକୁ ଜିଲାପାଳ ଉନ୍ମୋଚନ କରିଥିଲେ ା କୋରାପୁଟ ଇନ୍‌ଟାକ ଚାପ୍ଟରର ଆବାହକ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ମାଝୀ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ କାର୍ତିକ, ସ୍ପ୍ରେଡ ଅନୁଷ୍ଠାନର ସମ୍ପାଦକ ବିଦ୍ୟୁତ୍‌ ମହାନ୍ତି, ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡ. ଜଗବନ୍ଧୁ ସାମଲ , ଆଦିବାସୀ ପରମ୍ପରାର ଗବେଷକ ଡ. ରାଜେନ୍ଦ୍ର ପାଢୀ, ଆଇନଜୀବୀ ଅଜତ୍‌ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।