ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବାକୁ ରାଜ୍ୟ ସରକାରଙ୍କ ପ୍ରୟାସ

ଭୁବନେଶ୍ୱର,୧୯।୯(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ ୧୦୦ ଦିନ ଅବଧିର ମୋହନ ସରକାର ରାଜ୍ୟବାସୀଙ୍କ ପ୍ରତି କେବଳ ଧୋକା । ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବାକୁ ଓଡ଼ିଶା ଆସିବାରେ ରାଜ୍ୟ ରାଜକୋଷରୁ ବହୁ କୋଟି ଟଙ୍କା ବ୍ୟୟ କରାଯାଇଛି। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରା ନ କରି ମୁଖ୍ୟ ପ୍ରସଙ୍ଗରୁ ରାଜ୍ୟବାସୀଙ୍କ ନଜର ହଟାଇବା ଓ ସୁଭଦ୍ରା ଯୋଜନାରେ ୫୦ ଭାଗରୁ ଅଧିକ ମହିଳାଙ୍କୁ ବଞ୍ଚିତ କରିବା ଭଳି ଅନ୍ୟାୟକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ବର୍ଷକୁ ୧୦ ହଜାର, ମାସିକ ୮୩୩ ଟଙ୍କାରେ ମହିଳାମାନେ କି ଉଦ୍ୟୋଗୀ ହେବେ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ଷ୍ଟିୟରିଂ କମିଟି ସଦସ୍ୟ ବିଶ୍ୱରଞ୍ଜନ ମହାନ୍ତି ପ୍ରଶ୍ନ କରିଛନ୍ତି।

ଭବନଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱରଞ୍ଜନ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୩୪ ଲକ୍ଷ ପକ୍କାଘରର ଆବଶ୍ୟକତା ଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଲକ୍ଷ ୭୫ ହଜାର ହିତାଧିକାରୀ ପକ୍କାଘର ପାଇଥିବା ବେଳେ ଅବଶିଷ୍ଟ ୫୦% ହିତାଧିକାରୀ ଏପର୍ଯ୍ୟନ୍ତ ଆବାସ ପାଇବାରୁ ବଞ୍ଚିତ ଅଛନ୍ତି। ଡବଲ ଇଞ୍ଜିନ ସରକାର ଆସିବା ପରେ ଆଳୁ, ପିଆଜ, ଖାଇବା ତେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ମାତ୍ରାଧିକ ବୃଦ୍ଧି ପାଇଛି। ରାଜ୍ୟରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷିତ ବେକାର ଯୁବତୀଯୁବକ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇ ଚାକିରି ଅନ୍ବେଷଣରେ ସରକାରଙ୍କ ପାଖରେ ଗୁହାରି କରୁଛନ୍ତି। ଅନ୍ୟପକ୍ଷେ ଅନେକ ଲକ୍ଷ ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବା ବଦଳରେ ପ୍ରଧାନମନ୍ତ୍ରୀ ଚୁପ୍‌ ରହିବା ରାଜ୍ୟବାସୀଙ୍କୁ ନିରାଶ କରିଛି। ଏଭଳି ସ୍ଥିତିରେ ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଓ ତା’ର ସହଯୋଗୀ ଦଳର ନେତାମାନେ ଆପତ୍ତିଜନକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ଯେଉଁମାନେ ରାହୁଲ ଗାନ୍ଧୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ରଖିଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ଗୁରୁବାର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଖାରବେଳନଗର ଥାନାରେ ଏତଲା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଶ୍ୱରଞ୍ଜନ କହିଛନ୍ତି।

Share