ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଲୋକକଳା କଳାକାରଙ୍କୁ ପାରିଶ୍ରମିକ ବୃଦ୍ଧି ଘୋଷଣା

ଭୁବନେଶ୍ବର,୮।୭(ଅସମାପିକା ସାହୁ) କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାରଙ୍କୁ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟଙ୍କୁ ୮୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହିତ କଳାକାରଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏଁ ଦିଆଯିବ।
ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ। ଘୋଡାନାଚ କ୍ଷେତ୍ରରେ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ । ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ। ଲୋକକଳାର ସୁରକ୍ଷା ତଥା କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

Share