Categories: ଜାତୀୟ

ପଞ୍ଜାବରେ ୪.୧ ତୀବ୍ରତାର ଭୂକମ୍ପ

ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବର ଅମୃତସରରେ ସୋମବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ସମାଚାର ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ପଞ୍ଜାବର ଅମୃତସରରୁ ୧୪୫ କିଲୋମିଟର ଉତ୍ତର-ପଶ୍ଚିମରେ ସୋମବାର ଭୋର ପ୍ରାୟ ୩ଟା ୪୨ ମିନିଟରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୪.୧ । ନ୍ୟାଶନଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁସାରେ ଏହି ଭୂକମ୍ପ ଭୂପୃଷ୍ଠରୁ ୧୨୦ କିଲୋମିଟର ଗଭିରରେ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଉତ୍ତର ଭାରତରେ ଲଗାତାର କିଛିଦିନ ହେବ ଭୂକମ୍ପ ଅନୁଭୂତ ହେଉଛି । ଗତ ସପ୍ତାହରେ ରାଜଧାନୀ ଦିଲ୍ଲୀରେ ବି ଭୂକମ୍ପ ଅନୁଭୁତ ହୋଇଥିଲା । ଭୂକମ୍ପକୁ ଦେଖିଲେ ଦିଲ୍ଲୀକୁ ସମ୍ବେଦନଶୀଳ ଅଞ୍ଚଳ ବୋଲି କୁହାଯାଉଛି ।
ବିଶେଷଜ୍ଞମାନେ କହିଛନ୍ତି ଯେ ହିମାଳୟ ଅଞ୍ଚଳରେ ଟେକ୍ଟୋନିକ ପ୍ଲେଟ ଗୁଡିକର ଅସ୍ଥିରତା ଯୋଗୁ ଉଚ୍ଚ ତ୍ରୀବ୍ରତାର ଭୂକମ୍ପ ପାଇଁ ସ୍ଥିତି ଉତ୍ପନ୍ନ ହେଉଛି । ୱାଡିୟା ଇନଷ୍ଟିଚ୍ୟୁଟ ଅଫ ହିମାଳୟ ଭୂବିଜ୍ଞାନର ଭୂବିଜ୍ଞାନୀ ଅଜୟ ପାଲ କହିଛନ୍ତି, ଭାରତୀୟ ପ୍ଲେଟରେ ୟୁରୋସିଆନ ପ୍ଲେଟର କ୍ରମାଗତ ଚାପ ହେତୁ ଏହା ଅଧିନରେ ସଂରକ୍ଷିତ ଶକ୍ତି ବେଳେ ବେଳେ ଭୂକମ୍ପ ଆକରରେ ବାହାରିଥାଏ ।

Share