Categories: ଫୁରସତ

ଅଣ୍ଡିରା ଜନ୍ମ ହୋଇ ମାଈ ହୁଏ

ନୂଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଅଛନ୍ତି। ତା’ ମଧ୍ୟରୁ ଅନେକ ବେଶ୍‌ ଅଜଣା। ତେବେ ରିବନ ଇଲ ବିଶ୍ୱର ସବୁଠୁ ଅଜବ ଜୀବ ।
ଯିଏ ନିଜର ପତଳା ଶରୀର ପାଇଁ ପୌରାଣିକ ଚାଇନିଜ୍‌ ଡ୍ରାଗନ ଭଳି ଦେଖାଯାଏ। ଏହି ଜୀବର ବୟସ ବଢ଼ିବା ସହିତ ସେ ନିଜର ରଙ୍ଗ ମଧ୍ୟ ବଦଳାଇଥାଏ। ହେଲେ ଏହା ଜାଣିକି ଆଶ୍ଚର୍ଯ୍ୟ ଲାଗିବ କି, ଏହି ଜୀବ ପ୍ରଥମରୁ ଅଣ୍ଡିରା ଜନ୍ମ ହୋଇଥିବାବେଳେ ପରେ ସେ ମାଈରେ ପରିଣତ ହୋଇଥାଏ। ଏହାପରେ ସେ ଅଣ୍ଡା ମଧ୍ୟ ଦେଇଥାଏ। ସୋସିଆଲ ମିଡିଆରେ ଏହି ଜୀବର ଏକ ଭିଡିଓ ଦେଖିବାକୁ ମିଳିଛି। ତା’ କ୍ୟାପ୍ସନରେ ଲେଖାହୋଇଛି, ରିବନ ଇଲ୍‌ ତା’ର ପୂର୍ଣ୍ଣ ଆକାର ଧାରଣ କରିବା ପରେ ରଙ୍ଗ ବଦଳାଇ ମାଈ ହେବା ଆରମ୍ଭ କରେ ଏବଂ ସେ ତା’ ରଙ୍ଗ ହଳଦିଆ କରିଦିଏ। ରିପୋର୍ଟ ମୁତାବକ, ରିବନ ଇଲ୍‌ ପାଖରେ ଅନେକ ଗୁଣ ଭରିରହିଛି। ଏହି ଜୀବର ଜୀବନ ଚକ୍ର ବହୁତ ଅଲଗା। ଯେଉଁଥିରେ ୩ ପର୍ଯ୍ୟାୟ ରହିଛି। ସେ ତା’ର କେବଳ ରଙ୍ଗ ବଦଳାଏନି, ଏଥିସହ ସେ ଅଣ୍ଡିରାରୁ ମଧ୍ୟ ମାଈ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ସେ କଳା ରଙ୍ଗର ହୋଇଥାଏ; ଯିଏ କିଶୋର ଅଣ୍ଡିରା ଭାବେ ତା’ ଜୀବନ ଆରମ୍ଭ କରିଥାଏ। ଏହି ସମୟରେ ତା’ ଶରୀରରେ ଥିବା ହଳଦିଆ ରଙ୍ଗର ଆସ୍ତରଣ ଯୋଗୁ ତାକୁ ସହଜରେ ଚିହ୍ନି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ସେ ଧୀରେ ଧୀରେ ବିକଶିତ ହୋଇଥାଏ। ଏହି ସମୟରେ ତା’ ଶରୀର କଳା ରଙ୍ଗରୁ ଚମକଭରା ନୀଳ ରଙ୍ଗରେ ପରିଣତ ହୋଇଥାଏ। ତୃତୀୟ ପର୍ଯ୍ୟାୟରେ ସେ ପ୍ରାୟ ୪ ଫୁଟ୍‌ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏହି ସମୟରେ ତା’ ଶରୀରରେ ପରିବର୍ତ୍ତନ ଦେଖିବାକୁ ମିଳେ। ଶରୀରର ରଙ୍ଗ ପୂରାପୂରି ହଳଦିଆ ହୋଇଯାଏ। ସେ ସମ୍ପୂର୍ଣ୍ଣ ଭାବେ ମାଈ ହୋଇଯାଏ। ଏହାପରେ ସେ ଅଣ୍ଡା ଦିଏ।

Share