ହିଟରରେ ରୋଷେଇ କରୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ

ଔପଦା, ୨୫।୯: ବାଲେଶ୍ୱର ଜିଲା ଔପଦା ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଷ୍ଟ୍ରକଚର ଗୃହରେ ଯନ୍ତ୍ରୀଙ୍କ ଉପସ୍ଥିତିରେ କର୍ମଚାରୀମାନେ ହିଟର ଲଗାଇ ରୋଷେଇ ପ୍ରସ୍ତୁତ କରୁଥିବା ଭିଡିଓ ଭାଇରାଲ ହେଉଛି। ଏହା ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ବିଭାଗର କର୍ମଚାରୀମାନେ ଉଚ୍ଚଶକ୍ତିସମ୍ପନ୍ନ ମେଶିନ ବସିଥିବା ବିପଦପୂର୍ଣ୍ଣ ଗୃହରେ ରହିବା ସହ ଅଫିସ କାର୍ଯ୍ୟ କରୁଛନ୍ତି। କର୍ମଚାରୀମାନେ ସେହି ଗୃହରେ ହିଟର ଲଗାଇ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଥିବା ଭିଡିଓ ଭାଇରାଲ ହେଉଛି। ସେହି ସମୟରେ ଉପସ୍ଥିତ ଔପଦା ବିଦ୍ୟୁତବିଭାଗ ଯନ୍ତ୍ରୀ ଫଟୋ ଉତ୍ତୋଳନକାରୀ ଯନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ମୁଁ ଜାଣେ ନାହିଁ କହି ସେଠାରୁ ଉଠି ତୁରନ୍ତ ପଳାଇ ଯାଉଥିବା ଭାଇରାଲ ଭିଡିଓରୁ ଜଣାଯାଉଛି।
ଷ୍ଟ୍ରକଚର ଗୃହରେ ଖାଦ୍ୟ ରାନ୍ଧିବା ସମ୍ପର୍କରେ ଯନ୍ତ୍ରୀ ସତୀଶ ଦାସଙ୍କୁ ପଚାରିବାରୁ ମୁଁ ଏ ବିଷୟରେ ଜାଣି ନାହିଁ। ବ୍ୟସ୍ତ ଅଛି କହି ଫୋନ କଲ୍‌କୁ କାଟିଦେଇଥିଲେ। ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ପ୍ରଭାସ ରଞ୍ଜନ ବିଶ୍ୱାଳଙ୍କୁ ଭିଡିଓ ଭାଇରାଲ ସମ୍ପର୍କରେ ପଚାରିବାରୁ କିଛି ବ୍ୟକ୍ତିଙ୍କ ଠାରୁ ଫୋନ ଦ୍ୱାରା ଏ ବିଷୟରେ ଖବର ପାଇଛି। ବିଭାଗୀୟ ତଦନ୍ତ ପରେ କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।