ଜନବସତି ଅଞ୍ଚଳରେ ବୁଲୁଛି ହାତୀ, ଲୋକେ ଛାନିଆ

ଭଞ୍ଜନଗର,୨୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୭୪ଟି ହାତୀ ଅଛନ୍ତି। ସନ୍ଧ୍ୟାରେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡ଼ିକରେ ପଶି ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଅନ୍ୟପଟେ ଚାଷୀଙ୍କ ଫସଲ ସହ ହାତୀ କିଭଳି ସୁରକ୍ଷିତ ରହିପାରିବ ସେଥିପାଇଁ ବନ ବିଭାଗ କର୍ମଚାରୀମାନେ ଚିନ୍ତିତ ଅଛନ୍ତି।

ଫସଲ ଓ ହାତୀ ସୁରକ୍ଷା ଚିନ୍ତାରେ ଚାଷୀ ଓ ବନ ବିଭାଗ କର୍ମଚାରୀମାନେ ରାତି ଉଜାଗର ରହି ହାତୀର ଗତିବିଧି ଉପରେ ନଜର ରଖୁଛନ୍ତି । ଶୁକ୍ରବାର ସକାଳେ ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ତିନିଛକିଆରେ ଜନବସତି ଅଞ୍ଚଳକୁ ଏକ ଦନ୍ତା ହାତୀ ମାଡ଼ି ଆସିଥିଲା। ଯାହାକୁନେଇ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଥିଲେ। ଏହାପରେ ଲୋକେ ଏବଂ ବନ ବିଭାଗ କର୍ମଚାରୀ ହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ। ଏହି ସମୟରେ ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ ଥିଲା।

Share