ଘରୁ ଶୁଣ୍ଢରେ ଟେକିନେଇ କଚାଡ଼ି ମାରିଲା ଦନ୍ତା

ବଡ଼ଗାଁ,୧୯ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଫୁଲବାରୀ ପଞ୍ଚାୟତର ଲାଖପଡ଼ା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଲାଖପଡ଼ା ଗାଁରେ ପଶିଥିଲା। ଲୋକେ ହାତୀ ଆସିଥିବା ଜାଣି ପାଟି କରିଥଲେ। ଲୋକଙ୍କ ପାଟି ଶୁଣି ବୀରେନ କିସାନ ଘରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥଲେ। ଏହି ସମୟରେ ହାତୀ ଶୁଣ୍ଢରେ ଟାଣିନେଇ ଏକ କରଞ୍ଜ ଗଛରେ ପିଟି ତଳେ ପକାଇବା ପରେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବୀରେନଙ୍କ ଘର ସମ୍ମୁଖ ଅନ୍ଧକାର ଥିବାରୁ ହାତୀ ତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇଥିବା ସେ ଜାଣି ପାରି ନ ଥିଲେ। ଏହି ହାତୀଟି ବୁଧବାର ରାତିରେ ଗରଗଡ଼ବାହାଲ ଗ୍ରାମର ମଙ୍ଗଳୁ ମାଝି ଓ ଯାଜପୁର ଗ୍ରାମର ତୁଲାରାମ ଡୁଙ୍ଗଡୁଙ୍ଗଙ୍କ ଘର ଭାଙ୍ଗି ଚାଉଳ ଖାଇ ଦେଇଥିଲା ବେଳେ ଦାଣ୍ଡଜମରା ଗ୍ରାମର ଯଦୁମଣି ମାଝି, ରମେଶ ମାଝି ଜୟଚନ୍ଦ୍ର ମାଝିଙ୍କ ଘର ସମ୍ମୁଖ ପାଚେରି ଭାଙ୍ଗିଦେଇଛି। ସେଠାରୁ ଦନ୍ତା ଲାଖପଡ଼ା ଗ୍ରାମକୁ ଯାଇଥିଲା। ଦନ୍ତା ବୀରେନଙ୍କୁ କଚାଡ଼ି ମାରିବା ପରେ ନିକଟବର୍ତ୍ତୀ ମହାବୀର ପର୍ବତକୁ ଚାଲିଯାଇଥିଲା। ତେବେ ଅଞ୍ଚଳରୁ ୨୧ଟି ହାତୀକୁ ବନ କର୍ମଚାରୀମାନେ ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲକୁ ଘଉଡ଼ାଇ ଥିଲାବେଳେ ଗୋଟିଏ ଦନ୍ତା ହାତୀ ରହିଯାଇଛି। ଏହି ହାତୀ ବଡ଼ଗାଁ, ସବଡେଗା ଓ କୁତ୍ରା ବ୍ଲକ ଅଞ୍ଚଳରେ ଉପଦ୍ରବ କରୁଛି।

Share