କେନ୍ଦୁଝର,୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ଭେଜିଡିଡି ଗ୍ରାମରେ ଧାନଖଳା ଜଗିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ବନମାଳୀ ମୁଣ୍ଡା(୪୭) ଏବଂ ତାଙ୍କ ଘର ସୁଡ଼ଙ୍ଗ ଗ୍ରାମ ଜାମୁଡିହି ସାହିରେ ବୋଲି ଜଣାପଡ଼ିଛି। ସେ ଗତ କିଛିବର୍ଷ ହେବ ଭେଜିଡିହି ଗ୍ରାମର ଶିରିଶ ବେହେରାଙ୍କ ଘରେ ରହି କାମ କରୁଥିଲା। ଗତକାଲି ରାତିରେ ଦୁଇ ଟିକିଆ ଦନ୍ତାହାତୀ ଗାଁରେ ପ୍ରବେଶ କରି ଖଳାରେ ଧାନ ଖାଇବା ସହ ପଲା ବାନ୍ଧି ଶୋଇଥିବା ବନମାଳୀଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ ଥଣ୍ଡାରୁ ରକ୍ଷା ପାଇଁ ସେଠାରେ ଜଳୁଥିବା ନିଆଁ ଲାଗି ଏକ ଅସ୍ଥାୟୀ ଘର ମଧ୍ୟ ପୋଡ଼ିଯାଇଥିବା ଜଣାପଡ଼ିଛି। ଗଜସାଥୀଙ୍କଠାରୁ ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ।